ଦୈନିକ ୨୭ ଟଙ୍କାରେ ମା’ମାନେ କରିବେ କ’ଣ ? ରାଜ୍ୟ ସରକାରଙ୍କୁ ନବୀନଙ୍କ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶଙ୍ଗ ଭବନରେ ବିଜେଡି ମହିଳା ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ବିରୋଧୀ ନୀତି ପାଇଁ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ମହିଳା ହିତୈଶୀ ନୁହନ୍ତି କେବଳ ରାଜନୈତିକ ପ୍ରଚାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିଜ ପବ୍ଲିସିଟି କରୁଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ, ଦୈନିକ ୨୭ ଟଙ୍କା ଦେଇ ସରକାର ବାହବା ନେବାକୁ ଉଦ୍ୟମ କରୁଛନ୍ତି । ଏହା ସହ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପାଳିତ ହୋଇ ଆସୁଥିବା ପଂଚାୟତିରାଜ ଦିବସକୁ ବାତିଲ କରି ସରକାର ବିଜୁ ପଟ୍ଟନାୟକଙ୍କ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି ।
ବିଜୁ ପଟ୍ଟନାୟକଙ୍କ ଅପମାନ
ନବୀନ ନିଜ ଭାଷଣରେ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବିଜୁ ବାବୁଙ୍କ ମନେ ପକାଇ ତାଙ୍କ ପ୍ରତି ହୋଇଥିବା ଅପମାନ କଥା ଉଠାଇଥିଲେ । ସେ କହିଥିଲେ ଯେ, ବିଜୁ ବାବୁ ମହିଳାମାନଙ୍କୁ ରାଜନୈତିକ ଶକ୍ତି ସୁନିଶ୍ଚିତ କରିବାକୁ ନିଷ୍ପତି ନେଇଥିଲେ । ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁକରିଥିଲେ । କିନ୍ତୁ ଦୁଃଖର କଥା ପଂଚାୟତି ରାଜ ବ୍ୟବସ୍ଥାକୁ ମଜବୁତ କରିଥିବା ବିଜୁବାବୁଙ୍କୁ ଡବଲ ଇଂଜିନ ସରକାର ଅପମାନିତ କରିଛନ୍ତି । ତାଙ୍କ ଜୟନ୍ତୀକୁ ରାଜନୈତିକ ଲକ୍ଷ୍ୟ କରି ପଂଚାୟତିରାଜ ଦିବସ ଭାବେ ପାଳନ କରାଗଲା ନାହିଁ ।
ମିଶନ ଶକ୍ତି ବନ୍ଦ କରିବା ପାଇଁ ଉଦ୍ୟମ
ସଂସଦ ଓ ରାଜ୍ୟ ବିଧାନସଭାରେ ମା’ ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ପାଇଁ ବିଜେଡି ଦାବି କରୁଛି । ଡବଲ ଇଂଜିନ ସରକାର ମିଶନ ଶକ୍ତି ଭଳି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱଭିମାନୀ ମା’ ମାନଙ୍କୁ ମିସଗାଇଡ୍ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମା ମାନଙ୍କୁ ଦୈନିକ ୨୭ ଟଙ୍କା ଦେଇ ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ଆପଣ କୁହନ୍ତୁ,୨୭ ଟଙ୍କାରେ ଆପଣଙ୍କ ପରିବାର ପାଇଁ ଏକ ଲିଟର କ୍ଷୀର ମିଳିବ କି ? ଲମ୍ବା ଅବଧିରେ ମା ମାନେ ଏହି ଯୋଜନାରୁ କିଛି ଉପକାର ପାଇବେ ନାହିଁ । ମା’ ମାନଙ୍କୁ ରାଜନୈତିକ ଅଧିକାର ଦେବା ବିଜେଡିର ଲକ୍ଷ୍ୟ । ଆପଣ ହେଉଛନ୍ତି ବିଜେଡିର ଆମ୍ବାସଡାର । ଲୋକଙ୍କୁ ସଚେତନ କରନ୍ତୁ । ମା ମାନଙ୍କୁ ମିସଗାଇଡ୍ କରିବାକୁ ହେଉଥିବା ଉଦ୍ୟମକୁ ବିରୋଧ କରନ୍ତୁ ।