କେବଳ ଲମ୍ବା ଭାଷଣ ଓ ବଡ଼ ବଡ଼ ହୋର୍ଡିଂରେ ହୁଏନି ବିକାଶ : ନବୀନ ପଟ୍ଟନାୟକ

1 min read

ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାର ରାଜ୍ୟରେ ବର୍ଷପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇଛନ୍ତି । ବିଜେପି ସରକାର କହୁଛନ୍ତି ସେମାନେ ଲୋକଙ୍କ ସରକାର । କିନ୍ତୁ ସେମାନଙ୍କ ସହ ଲୋକ ନାହାଁନ୍ତି । କେବଳ ଲମ୍ବା ଭାଷଣ କି ବଡ଼ ବଡ଼ ବିଜ୍ଞାପନରେ ବିକାଶ ହୁଏନି ବୋଲି କହିଛନ୍ତି ନବୀନ । ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକକୁ ପରେ ଜନଜାଗରଣ ଅଭିଯାନକୁ ଶଙ୍ଖଭବନରେ ସମ୍ବୋଧିତ କରି ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ।

ବିଜେଡି ସରକାର ଅମଳରେ ୯୦ ପ୍ରତିଶତ ଲୋକ ବିଏସକେୱାଇ ଯୋଜନାରୁ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଏବେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଲୋକଙ୍କୁ ମେଡିସିନ ମିଳୁନି କି ମାଗଣା ଚିକିତ୍ସା ସୁବିଧା ବି ମିଳିପାରୁନି । ହଜାର ହଜାର ଲୋକ, ବୁଢାବୁଢୀ, କ୍ୟାନସର ରୋଗୀ ଓ ପିଲାମାନେ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ରାଜ୍ୟର ୧୯ ଜିଲ୍ଲାରେ ଏବେ ସିଡିଏମଓ ନାହାଁନ୍ତି । ଏହା ହେଉଛି ବିଜେପି ସରକାରର ସଫଳତା ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରି ଓଡିଶା ସାରା ଦେଶରେ ରେକର୍ଡ କରିଥିଲା ।

ବିଜେଡି ସରକାରରେ ମିଶନ ଶକ୍ତି ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଗତ ବର୍ଷକ ମଧ୍ୟରେ ମିଶନଶକ୍ତି ଅଭିଯାନକୁ ଦୁର୍ବଳ କରିଦେଇଛନ୍ତି ରାଜ୍ୟ ସରକାର । ମାଆ ମାନଙ୍କୁ ବ୍ୟବସାୟିକ ସହଯୋଗ ମିଳିପାରୁନି । ସରକାରୀ କାର୍ଯ୍ୟାଳୟରେ ମାଆ ମାନଙ୍କ କୌଣସି କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମାଆ ମାନେ ଏବେ ହତାଶ ହୋଇଯାଇଛନ୍ତି । ସେମାନଙ୍କ ଆତ୍ମବିଶ୍ବାସ ଭାଙ୍ଗିଯାଇଛି । ମାଆ ମାନେ ବିଜେପିକୁ ଆଉ କ୍ଷମା ଦେବେନି ବୋଲି ଚେତାଇ ଦେଇଛନ୍ତି ନବୀନ । ନିର୍ବାଚନ ସମୟରେ ବିଜେପି କହୁଥିଲା ସରକାରକୁ ଆସିଲେ କଟନୀ ଛଟନୀ ହେବନି । ସରକାରକୁ ଆସିବା ପରେ କିନ୍ତୁ କଟନୀ ଛଟନୀ ବନ୍ଦ ହୋଇନି । ମିଲରଙ୍କ ଦୟାରେ ଏବେ ଚାଷୀଙ୍କ ଭାଗ୍ଯ । ମିଲରଙ୍କର ଆଉ ସରକାରଙ୍କୁ ଭୟ ନାହିଁ । ବିଜେପି ସରକାର ସବୁ ଚାଲିଥିବା କାମକୁ ବନ୍ଦ କରିଦେଇଛନ୍ତି ।

ଲୋକଙ୍କ ସରକାର ବୋଲି ଦାବି କରୁଥିଲେ ବି ବିଜେପି ସରକାରରେ ଲୋକ ନାରଖାର ହେଉଛନ୍ତି ବୋଲି ନବୀନ ସମାଲୋଚନା କରିଛନ୍ତି । ୨୦୦୦ରେ ବିଜେଡି ଦାୟିତ୍ବକୁ ନେବା ବେଳେ ରାଜ୍ୟ ୧୮ହଜାର କୋଟି ଟଙ୍କାର ଋଣ ବୋଝରେ ବୁଡି ରହିଥିଲା । ଓଭରଡ୍ରାଫ୍ଟରେ ଚାଲିଥିଲା ସରକାର । ୨୦୨୪ରେ ବିଜେଡି ଶାସନ ଦାୟିତ୍ବ ଛାଡିବା ବେଳକୁ ରାଜକୋଷରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ବ ଥିଲା । ଏବେ ରେକର୍ଡ ପରିମାଣର ଋଣରେ ବୁଡି ରହିଛି ସରକାର । ୨୦୦୫-୦୬ରେ ରାଜ୍ୟରେ ଗରିବୀ ୬୩.୮୩ ପ୍ରତିଶତ ଥିଲା । ୨୦୨୦-୨୩ରେ ଏହା ୧୧.୦୭ ପ୍ରତିଶତକୁ ହ୍ରାସ ପାଇଥିଲା । ୧୦୨ କୋଟି ୭୮ ଲକ୍ଷ ଦ୍ରାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ । ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାରକୁ ସଫଳତାର ସହ କମାଇଥିଲା ବିଜେଡି ସରକାର । ବିଜେଡି ଲୋକଙ୍କ ସହ ସବୁବେଳେ ରହିଛି । ଦଳର ନେତା ଓ ତୃଣମୂଳ ସ୍ତରରେ କର୍ମୀମାନେ ଲୋକଙ୍କ ସେବା ଜାରି ରଖିବାକୁ ନବୀନ ଆହ୍ବାନ ଦେଇଛନ୍ତି ।