ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଗଭୀର ଆଘାତ ଦେଇଛି : ନବୀନ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶଙ୍ଖଳା ପରିସ୍ଥିତିରେ ଅବନତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ପୁଅଙ୍କ ଦାଦାଗିରି ଓ ସରକାରୀ ଅଧିକାରୀଙ୍କୁ ମାଡ଼ମରା ପ୍ରସଙ୍ଗରେ ବିରୋଧୀ ଦଳ ବିଧାନସଭାର ଆରମ୍ଭ ଦିନରେ କକ୍ଷତ୍ୟାଗ କରିଥିଲେ ।

ଏହାପରେ ସାମ୍ବାଦିକଙ୍କ ସହ କଥା ହୋଇ ଏପ୍ରସଙ୍ଗରେ ନବୀନ ପଟ୍ଟନାୟକ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ,ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ ମଧ୍ୟ ତାଙ୍କ ବିରୋଧରେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହା ମୋତେ ଚକିତ ଓ ବ୍ୟଥିତ କରିଛି । ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଶ୍ଚର୍ଯ୍ୟବ୍ୟକ୍ତ କରି ନବୀନ କହିଥିଲେ ଯେ,ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଆଘାତ ଦେଇଛି । ମୋ ସରକାର ସମୟରେ ଯେତେବେଳେ ବି କୌଣସି ମନ୍ତ୍ରୀ,ବିଧାୟକ,ସାଂସଦ କିମ୍ବା ସରକାରୀ ଅଧିକାରୀଙ୍କ ବିରୋଧରେ ଆଇନ ଭଙ୍ଗର ଅଭିଯୋଗ ଆସୁଥିଲା ସେତେବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।

ସୂୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଓ ବିଜେଡି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ସହିତ ବିରୋଧୀଦଳ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ । ଏହାପରେ କଂଗ୍ରେସ ଓ ବିଜେଡ଼ି ବିଧାୟକ କକ୍ଷତ୍ୟାଗ କରିଥିଲେ ।

କଂଗ୍ରେସ ବିଧାୟକ ତାରା ବାହିନୀପତି ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟାପଳ ବିଦା ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିବା ସହିତ ଆଗକୁ ବିରୋଧ ଜାରି ରହିବ ବୋଲି ଗୃହ ବାହାରେ ତାରା କହିଛନ୍ତି ।