spot_img

Latest Posts

ମା‘ମାନଙ୍କୁ ଅସମ୍ମାନ, ଓଡ଼ିଶାବାସୀ ବରଦାସ୍ତ କରିବେନି: ନବୀନ

ଭୁବନେଶ୍ୱର: ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ । ସ୍ୱର ଯେତିକି ଶାଣୀତ ଥିଲା ଶବ୍ଦ ସେତିକି ତଗଡ଼ା ବି ଥିଲା । ନିଜ ଭିତରେ ଥିବା ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧିଙ୍କ ଉପରେ ସିଧା ହମଲା କରି କହିଲେ- ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ ବାହାରକୁ ଆଣି ସଶକ୍ତ କରିଛି । ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ ଗାଳିଗୁଲଜ କରୁଛନ୍ତି । ଅସମ୍ମାନ କରୁଛନ୍ତି । ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ । ଲୋକ ଏହାର ଜବାବ ଦେଲେ, ମା’ମାନଙ୍କୁ ଅସମ୍ମାନକୁ ଓଡିଶାବାସୀ କେବେ ହେଲେ ବରଦାସ୍ତ କରିନାହାଁନ୍ତି କି କରିବେ ନାହିଁ ।

ନବୀନ ପୂରା ଆକ୍ରମଣ ମୁଦ୍ରାରେ ବିରୋଧୀଙ୍କୁ ଶକ୍ତ ପ୍ରହାର କରି କହିଲେ- ବିକାଶ ଡବଲ୍ ଇଞ୍ଜିନ କି ସିଙ୍ଗଲ ଇଞ୍ଜିନ ବୁଝେ ନାହିଁ । ସୁଶାସନ ଓ ଇଚ୍ଛାଶକ୍ତି ଯେଉଁଠି ବିକାଶ ହିଁ ସେଇଠି । ଝାରସୁଗୁଡା ଉପନିର୍ବାଚନ ବିଜୟ ବିଜେଡିର ବିଜୟ ନୁହେଁ ଏହା ଝାରସୁଗୁଡ଼ାବାସୀଙ୍କର ଓ ମହିଳା ସଶକ୍ତିକରଣର ବିଜୟ । ମୁଁ ଆଜି କଥା ଦେଉଛି,  ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ଏହି ଅବସରରେ ସେ କର୍ମକର୍ତ୍ତାକୁ ସମ୍ବୋଧନ କରି ଆହୁରି ମଧ୍ୟ କହିଛନ୍ତି, ‘‘ ମୁଁ ଝାରସୁଗୁଡାବାସୀଙ୍କ ନିକଟରେ ଋଣୀ।। ଏ ବିଜୟ ଝାରସୁଗୁଡାବସୀଙ୍କର, ମହିଳା ସଶକ୍ତିକରଣର ବିଜୟ। ନବଦାସଙ୍କ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ । ଓଡ଼ିଶାର ଲୋକମାନଙ୍କ ପାଖରେ ବିଜେଡି ସବୁବେଳେ ଠିଆ ହୋଇଛି । ମହିଳାଙ୍କ ପାଇଁ କାର୍ଯ୍ୟ କରୁଛି ବିଜେଡି । ସେମାନଙ୍କୁ ହାଣ୍ଡିଶାଳର ଚାରିକାନ୍ଥ ମଧ୍ୟରୁ ବାହାରକୁ ଆଣିବା ସହ ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି ।  ହେଲେ ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରିଆସୁଛି।  ବିରୋଧି ଦଳଙ୍କ ଏଭଳି  ବ୍ୟବହାରକୁ ଓଡିଶାବାସୀ ସବୁବେଳେ ନାପସନ୍ଦ କରି ଆସିଛନ୍ତି’’।

ଆମର ଝିଅ ମାନେ ଆମର ଗର୍ବ । ଏମିତି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ବିଜୁ ଜନତା ଦଳ ସବୁବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ  କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦେଇଛି । ମା’ ମାନଙ୍କର ସଶକ୍ତିକରଣରେ ବିଜେଡି ବିଶ୍ୱାସ କରେ । ବିଡମ୍ବନା  ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି। ଏହା ଏକ ବିପଦଜନକ ସଙ୍କେତ । ଓଡିଶାବାସୀ ଏଭଳି  ବ୍ୟବହାରକୁ  ସବୁବେଳେ ନାପସନ୍ଦ କରି ଆସିଛନ୍ତି ଏବଂ ପ୍ରତ୍ୟାଖ୍ୟାନ କରିଛନ୍ତି।

ପଦ୍ମପୁର ହେଉ ବା  ଝାରସୁଗୁଡ଼ା । ସବୁଠି ବିରୋଧି  ବାପାଙ୍କୁ  ହରେଇଥିବା  ଝିଅ  ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା  ତୃଣମୂଳସ୍ତରରେ  କାମ କରୁଥିବା ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି।

ଏହି ଅବସରରେ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇ କହିଲେ, ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆମ ସଂସ୍କୃତି ଏବଂ ମା ମାନଙ୍କ ସମ୍ମାନ ଓ ଅଧିକାର ସୁରକ୍ଷା  ପାଇଁ  କାମ କରିଚାଲିବା ।  ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଉପସ୍ଥିତି ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୃତଜ୍ଞତା ଜଣାଇବା ସହ ଝାରସୁଗୁଡାବାସୀ ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକ ନିଜର ଅଭିଭାଷଣ ରଖିଥିଲେ । ଦୀପାଳି ଦାସ କହିଲେ ଯେ, ଏ ବିଜୟ ଶଙ୍ଖର, ଝାରସୁଗୁଡାବାସୀଙ୍କ ଓ ନବଦାସଙ୍କର ।

Latest Posts

Don't Miss