ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସ୍ତରର ନେତା ଏମ୍ ବିରାପା ମୋଇଲି, ଡି ରାଜା, ସରୋଜ ବାଲା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ନେଇ ସୂଚନା ରହିଛି । ଭୁବନେଶ୍ବର ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମ ଧାମରେ ପାଳନ କରାଯିବ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ।
ଅନ୍ୟପକ୍ଷରେ କଂଗ୍ରେସ କିପରି କ୍ଷମତାକୁ ଫେରିବ ସେନେଇ ଆଜି କଂଗ୍ରେସର ନେତା ଓ କର୍ମୀମାନେ ଶପଥ ଗ୍ରହଣ କରିବେ । ଜାନକୀଙ୍କ ନୀତିକୁ ଆପଣାଇବାକୁ ଅଣ୍ଟା ଭିଡ଼ିଛି ଦଳ । ଅଶୀ ଦଶକର ଚାଣକ୍ୟ କୁହାଯାଉଥିବା ଜାନକୀଙ୍କ ସମୟରେ ରାଜ୍ୟରେ କଂଗ୍ରେସର ସ୍ଥିର ସରକାର ରହିଥିଲା । ତାଙ୍କର ଫର୍ମୂଲାକୁ ଆପଣାଇ ଓଡ଼ିଶାରେ କଂଗ୍ରେସ ସଂଗଠନ ବେଶ୍ ମଜବୁତ ରହିଥିଲା । ତାଙ୍କ ସମୟ ଥିଲା ରାଜ୍ୟ କଂଗ୍ରେସ ପାଇଁ ଗୋଲଡେନ ସମୟ। ତାଙ୍କ ପରେ ଆଉ ଉଧାଉନି କଂଗ୍ରେସ ସଙ୍ଗଠନ। ତେଣୁ ରାଜ୍ୟ କଂଗ୍ରେସ ଏବେ ଜାନକୀ ନୀତିରେ ଅନୁପ୍ରାଣିତ ହେବାକୁ ଅଣ୍ଟା ଭିଡିଛି। ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଏହାର ମୂଳଦୁଆ ପକାଇବ କଂଗ୍ରେସ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାରେ ହୋଇଥିବା ବିକାଶକୁ ରାଜ୍ୟ କଂଗ୍ରେସ ଏବେ ଜୋରଦାର ପ୍ରଚାର ପ୍ରସାର କରିବ । ଦଳର ବରିଷ୍ଠ ନେତାଙ୍କ ଯୁକ୍ତି, ଜାନକୀଙ୍କ ଶାସନ ସମୟରେ ଆଗେଇଥିଲା ଶିଳ୍ପ କ୍ଷେତ୍ର। ଜଣେ ବିଚକ୍ଷଣ ନେତା ହେବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର କଳା ତାଙ୍କୁ ବେଶ ଜଣାଥିଲା।

