spot_img

Latest Posts

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା

ନନ୍ଦିଘୋଷ ବ୍ୟୁରୋ:

ବିଜେଡି ବିଧାୟକ ଦଳ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବସମ୍ମତ  ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି।  ସେହିପରି ରେଢାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ଯ ହୋଇଛନ୍ତି ବିରୋଧୀ ଦଳ ଉପନେତା। ପୂର୍ବତନ ସରକାରୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ଏବେ ବିରୋଧୀ ଦଳ ମୁଖ୍ଯ ସଚେତକ ଭୂମିକା ତୁଲାଇବେ। ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ହୋଇଛନ୍ତି ବିରୋଧୀ ଦଳ ଉପମୁଖ୍ଯସଚେତକ। ଦୀର୍ଘ ୨୪ ବର୍ଷ ଧରି ରାଜ୍ଯ ଶାସନର ମଙ୍ଗ ଧରି ସାରା ବିଶ୍ବରେ ଖ୍ଯାତି ଅର୍ଜନ କରିଛନ୍ତି ନବୀନ। ସେ  ୫ଥର ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ହିଞ୍ଜିଳି ଆସନରୁ ଲଗାତାର ୬ ଥର ହୋଇଛନ୍ତି ବିଧାୟକ। ସମାଜର ସବୁ ବର୍ଗର ଲୋକଙ୍କ ଲାଗି ଅନେକ ଲୋକପ୍ରିୟ ଯୋଜନା ପ୍ରସ୍ତୁତ କରି ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଥିଲେ ନବୀନ। ତାଙ୍କ ଶାସନକାଳ ଓଡ଼ିଶା ଇତିହାସରେ ଥିଲା ସୁବର୍ଣ୍ଣଯୁଗ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଜଳସେଚନ ଆଦି ସମସ୍ତ କ୍ଷେତ୍ରରେ ଦିଗଦର୍ଶକ ଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କୁ ସଚେତନ କରିବା, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳର ଭୂମିକା ରହିଥାଏ ଗୁରୁତ୍ବପୂର୍ଣ୍ଣ। ସଶକ୍ତ ବିରୋଧୀ ହିଁ ସୁସଂହତ ଗଣତାନ୍ତ୍ରିକ ବ୍ଯବସ୍ଥା ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଜେଡିର ଏହି  ଶକ୍ତିଶାଳୀ ଟିମ୍ ବିଧାନସଭାରେ ସରକାର ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ରାଜ୍ଯର ବିକାଶ ଲାଗି ଦଳୀୟ ରଣନୀତି ସ୍ଥିର କରିବେ।

Latest Posts

Don't Miss