ମୃତ ଚାଷୀ କୃତ୍ତିବାସଙ୍କ ଘରେ ପହଞ୍ଚିଲେ ନବୀନ
ଜଗତସିଂହପୁର: ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଆଉ କିଏ ଉଜୁଡା କ୍ଷେତ ଦେଖି ହତାଶାରେ ଟଳିପଡୁଛନ୍ତି । ମୁଖିଆଙ୍କ ମୃତ୍ୟୁ ପରେ ଛାରଖାର ହୋଇଯାଇଛି ପରିବାର । ହେଲେ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରୁ ନଥିବା ବେଳେ ସେମାନଙ୍କ ସାହାରା ବନୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଜଗତସିଂହପୁର ବାଲିକୁଦା ବ୍ଲକ ତଣ୍ଡିକୂଳ ପଂଚାୟତର ସାରଣା ଗାଁର ମୃତ ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାର ପାଖରେ ପହଁଚିଛନ୍ତି ନବୀନ । ନବୀନଙ୍କୁ ଦେଖି କୋହ ସମ୍ଭାଳି ପାରିନାହାନ୍ତି ପରିବାର ଲୋକେ ।
ଗତ ରାତିରେ ସାରଣା ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ କୃତ୍ତିବାସ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସହି ନପାରି ଆତ୍ମହତ୍ୟା କରିଛନ୍ତି । ବାପା ମାଆ ରୋଗଗ୍ରସ୍ତ । କୃତ୍ତିବାସଙ୍କ ଦୁଇ ଝିଅ । ଜଣଙ୍କୁ ୫ ବର୍ଷ ଆଉ ଜଣେ ଏକ ବର୍ଷ । ବାପାଙ୍କ ଦେହ ଖରାପ ହେବା ପରେ ଏକା କୃତ୍ତିବାସ ହିଁ ପରିବାର ଭରଣପୋଷଣ କରୁଥିଲେ । ଏବର୍ଷ ସେ ୪ ଏକର ଭାଗରେ ଆଉ ନିଜର ଏକରେ ଜମିରେ ଧାନ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷାରେ ସବୁ ଧାନ କ୍ଷେତରେ ଶୋଇଗଲା । ଚାଷ ପାଇଁ ବହୁ ଟଙ୍କା କରଜ କରିଥିଲେ । କେମିତି କରଜ ସୁଝିବେ ସେହି ଚିନ୍ତାରେ ଗତକାଲି ସନ୍ଧ୍ୟାରେ ବାପାଙ୍କୁ ଔଷଧ ଦେଇ ଛାତ ଉପରେ ଆତ୍ମହତ୍ୟା କରିଛନ୍ତି । ତା’ ପୂର୍ବରୁ ସ୍ତ୍ରୀ ଚା ପିଇବାକୁ ଡାକୁଥିଲେ, କିନ୍ତୁ ପରେ ପିଇବି କହି ଚାଲିଯାଇଥିଲେ ଯେ ଆଉ ଆସିଲେନି । ଆଜି ଗାଁରେ ନବୀନ ପହଁଞ୍ଚିବା ପରେ ପରିବାରର ସବୁ ଦୁଃଖ ବଖାଣିଥିଲେ ପରିବାର ଲୋକେ ।
ମୃତ କୃତ୍ତିବାସଙ୍କ ପରିବାରକୁ ନବୀନ ଭେଟିବା ସମୟରେ ସାରଣା ଗ୍ରାମବାସୀ ନବୀନଙ୍କ ନିକଟରେ ଏକାଠି ହୋଇ ଦୁଃଖ ଜଣାଇଥିଲେ । ଚାଷୀଙ୍କ ଏଭଳି ଦୁଃଖ ସମୟରେ ପ୍ରଶାସନର ଦେଖା ମିଳି ନଥିବା ବେଳେ ମୁରବି ଭାବେ ନବୀନଙ୍କ ଉପସ୍ଥିତିକୁ ପ୍ରଶଂସା କରିଥିଲେ ଗ୍ରାମବାସୀ । ବର୍ଷାରେ ଫସଲହାନି ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ଏନେଇ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି ନବୀନ ।
ଗତରାତିରୁ କୃତ୍ତିବାସ ଆତ୍ମହତ୍ୟା କଲେଣି । ହେଲେ ପହଁଚି ନଥିଲା ପ୍ରଶାସନ। ନବୀନ ପଟ୍ଟନାୟକ ପହଁଚି ପରିବାର ସହ ଆଲୋଚନା କରିବା ପରେ ସରକାରଙ୍କ ଚେତା ପଶିଥିଲା । ଆଉ ନବୀନ ବାଲିକୁଦାରୁ ଫେରିବା ପରେ କୃତ୍ତିବାସଙ୍କ ପରିବାର ପାଖରେ ପହଁଚିଥିଲେ କିଛି ଜିଲ୍ଲା ପ୍ରଶାସନ ଅଧିକାରୀ ।