ରୋମରେ ପୋପଙ୍କୁ ସାକ୍ଷାତ କରିବେ ନବୀନ, ଖାଦ୍ୟ ସୁରକ୍ଷା ଦିଗରେ ବିଶ୍ୱକୁ ଦେବେ ନୂଆ ଦିଗଦର୍ଶନ

ରୋମ: ରୋମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବେ ନବୀନ । ରୋମ୍ ସହିତ ଓଡ଼ିଶାର ରହିଛି ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ । ଇଟାଲି, ଗ୍ରୀସ୍ ସମେତ ଇଉରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ୍ ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ ।

ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାର ସଫଳତା ବାବଦରେ ଜାତିସଂଘ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ସାରା ବିଶ୍ବକୁ ନୂଆ ଦିଗଦର୍ଶନ ଦେବେ । ସମସ୍ତଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଓଡ଼ିଶା ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ରହିଛି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମାହିର ହୋଇଥିବା ବେଳେ ଏହାର ରୋଡ ମ୍ୟାପ ମଧ୍ୟ ସାରା ବିଶ୍ବକୁ ଜଣାଇବେ । ରାଜ୍ୟରେ ପୁଞ୍ଜି ନିବେଶର ବ୍ୟାପକ ସୁଯୋଗ ଥିବାରୁ ଦୁବାଇରେ ପୁଞ୍ଜିପତି ସମ୍ମିଳନୀରୁ ବିଦେଶୀ ପୁଞ୍ଜି ନିବେଶ ଆସିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀ ସିଧାସଳଖ ମିଡିଲ ଇଷ୍ଟ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଥିବା ପର୍ଯ୍ୟାପ୍ତ ସମ୍ଭାବନା ଓ ସରକାରୀ ସୁବିଧା ସୁଯୋଗ ବାବଦରେ ଆଲୋଚନା କରିବେ ।