ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଜରିଆରେ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜୟନ୍ତୀ ସମ୍ମେଳନ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଥିଲେ, ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଜରିଆରେ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ ।
ସତସଙ୍ଗ ବିହାର ମନ୍ଦିରରେ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଦିବସ ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜୟନ୍ତୀ ଅବସରରେ ଭୁବନେଶ୍ଵର ଜନତା ମୈଦାନରେ ଏକ ସମ୍ମେଳନର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇ ନବୀନ ପଟ୍ଟନାୟକ ଠାକୁରଙ୍କ ଚିତ୍ର ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତର୍ପଣ ପୁସ୍ତିକାର ଉନ୍ମୋଚନ କରିଥିଲେ । ଭକ୍ତ ମଣ୍ଡଳୀଙ୍କୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେବା ଓ ପ୍ରେମ ପରି ଦିବ୍ୟ ଗୁଣ ସହିତ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଉପରେ ଶ୍ରୀ ଠାକୁର ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଠାକୁରଙ୍କ ବାଣୀର ବିଶେଷ ପ୍ରାସଙ୍ଗିକତା ରହିଛି ବୋଲି ନବୀନ କହିଥିଲେ । ବିଧାୟକ ସୁଶାନ୍ତ ରାଉତ ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସମ୍ମେଳନରେ ଉପସ୍ଥିତ ଥିଲେ ।