ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଏଇ ଘଟଣାର ଭିଡିଓ ମୋତେ ଶକ୍ତ ଆଘାତ ଦେଇଛି । ଜଣେ ବରିଷ୍ଠ ଓଏଏସ ଅଧିକାରୀ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କୁ ଯେଉଁ ଭଳି ନିର୍ମମ ଭାବେ ଆକ୍ରମଣ କରାଯାଇଛି ତାହା ଅତ୍ୟନ୍ତ୍ୟ ନିନ୍ଦନୀୟ ।

ଆଗକୁ ନବୀନ କହିଛନ୍ତି, ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ନୃଶଂସ ଭାବେ ବିଧା ଗୋଇଠା ମରାଯାଇଛି । ଏସବୁ ଘଟଣା ଜଣେ ବିଜେପି କର୍ପୋରେଟର ଠିଆ ହୋଇ ଦେଖୁଛନ୍ତି । ସେହି ବିଜେପି କର୍ପୋରେଟର ସଂପର୍କ ହାରି ଯାଇଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ରହିଛି । ବଡ଼ କ୍ଷୋଭର ବିଷୟ ହେଲାଏହି ଘଟଣା ରାଜଧାନୀର ଛାତି ଉପରେ ଦିନ ଦ୍ବିପ୍ରହରରେ ଘଟିଛି । ଯେତେବେଳେ କି ଅଫିସର ଜଣକ ଅଫିସରେ ବସି ଜନ ଅଭିଯୋଗ ଶୁଣୁଥିଲେ । ଏନେଇ ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି । ଏହାସହିତ ଯେଉଁମାନେ ଏଥିରେ ଅଭିଯୁକ୍ତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯେଉଁ ରାଜନେତା ଏହି ଲଜ୍ଜାଜନକ କାଣ୍ଡ ଭିଆଇବା ପଛରେ ଅଛନ୍ତି ତାଙ୍କ ବିରୋଧରେ ଆକ୍ସନ ନେବାକୁ ମଧ୍ୟ ଦାବି କରିଛି । ସଂପୃକ୍ତ ଅଫିସର ନାଁ ନେଇଥିବା ଦୁର୍ବୃତ୍ତମାନେ ଅପରାଧୀଙ୍କ ଭଳ ବ୍ୟବହାର କରିଥିଲେ । ଯଦି ଜଣେ ବରିଷ୍ଠ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ସୁରକ୍ଷିତ ନାହାଁନ୍ତି ତା’ହେଲେ ରାଜ୍ୟର ଆଇନଶୃଙ୍ଖଳା କେଉଁସ୍ତରକୁ ଗଲାଣି ବୁଝିହେଉଛି । ରାଜ୍ୟର ସାଧାରଣ ନାଗରିକଟିଏ କେତେ ସୁରକ୍ଷିତ ଏଥିରୁ ବେଶ ଅନୁମେୟ କରିହେଉଛି । ମୁଁ ଆଶା କରୁଛି ମୁଖ୍ୟମନ୍ତ୍ରୀ ତୁରନ୍ତ ଆକ୍ସନ ନେଇ ଲୋକଙ୍କ ଆଶା ବିଶ୍ବାସକୁ ବଜାୟ ରଖନ୍ତୁ । ଏଭଳି ଜଘନ୍ୟ କାଣ୍ଡ କରୁଥିବା ବ୍ୟକ୍ତି ଯଦି ଦଣ୍ଡିତ ନହୁଏ ତାହେଲେ ଓଡି଼ଶାବାସୀ କେବେ ବି କ୍ଷମା ଦେବେନି । ଏହି ଘଟଣାକୁ ନେଇ ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ କିପରି ମାଡ ମାରିଥିଲେ ତାର ଉଦାହରଣ ଦେଇଛନ୍ତି ନବୀନ  ।