ଲଢୁଆ ପ୍ରଦର୍ଶନ ପାଇଁ ଭାରତୀୟ ମହିଳା ହକି ଟିମକୁ ନବୀନଙ୍କ ଶୁଭେଚ୍ଛା

1 min read

ଭୁବନେଶ୍ୱର : ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ହାତେଇଥିଲା। ଏଥର ବିହାରରେ ଭାରତର ଫାଇନାଲରେ ବିଜୟୀ ହୋଇଛି। ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦେଇଥିଲେ ଦୀପିକା। ମ୍ୟାଚର ୩୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ। ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା। ହେଲେ ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ଏହି ଗୋଲରେ ହିଁ ଭାରତ ବିଜୟୀ ହୋଇଛି। ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟ୍ରଫି କବଜା କରିଛି। ସେମି ଫାଇନାଲରେ ଦଳ ଜାପାନକୁ ୨-୦ ଗୋଲରେ ରାଇଥିଲା। ଫାଇନାଲରେ ବିଜୟୀ ହେବା ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳ ଏଭଳି ପ୍ରଦର୍ଶନ ବଜାୟ ରଖି ଦେଶ ପାଇଁ ଗୌରବ ଆଣୁ ବୋଲି ଅଭିନନ୍ଦନ ଜଣାଇ କହିଛନ୍ତି ନବୀନ ପଟ୍ଟନାୟକ। ହକିର ପ୍ରସାର ପ୍ରଚାର କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ। ଦୁଇ ଦୁଇ ଥର ବିଶ୍ବକପ ହକି ଆୟୋଜନ କରି ହକିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ନବୀନ ଏକ ଉଦାହରଣ ସୃଷ୍ଟି କରିଥିଲେ।