ହକି ହିରୋ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ବର: ଭାରତୀୟ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ନିବାସରେ ଅମିତଙ୍କୁ  ରୁପା ତାରକସିର ରଥାରୁଢ଼ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସହ ଏକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ।

ଅମିତଙ୍କୁ ଓଡିଶାର ଗର୍ବ ବୋଲି ନବୀନ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇ ଚାଲିବ ବୋଲି କହିଛନ୍ତି ।

ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକରେ ଦଳ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ନବୀନ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ  ଲସଏଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିବ ବୋଲି ନବୀନ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

ନବୀନଙ୍କୁ ଅମିତ ପ୍ୟାରିସ ଅଲିମ୍ପିକର ମାସ୍କଟ ପ୍ରଦାନ କରିବା ସହ ଭାରତୀୟ ହକି ଦଳର ଏହି ସଫଳତାରେ ତାଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।