ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକରେ ନବୀନଙ୍କ ଶୋକ
1 min read
ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କଲେ ନବୀନ । କହିଲେ- ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ।
ସେ କହିଛନ୍ତି, ଜନପ୍ରତିନିଧି ଭାବେ ଦୀର୍ଘଦିନ ଧରି ଲୋକଙ୍କ ସେବାରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।
ସୂଚନାଯୋଗ୍ୟ, ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ । ୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।
୨୮ ଅଗଷ୍ଟ ୧୯୪୦ରେ ଭୋଗରାଇ ବ୍ଲକର କୁରୁଠିଆରେ ଜନ୍ମ ଗ୍ରହଣ କରିଥିଲେ ଅନନ୍ତ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଅନନ୍ତ ଦାସଙ୍କ ମୃତ୍ୟୁରେ ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।