NCERT ପାଠ୍ୟ ପୁସ୍ତକରୁ ପାଇକ ବିଦ୍ରୋହକୁ ବାଦ୍ ; ଉଦବେଗ ପ୍ରକାଶ କଲେ ନବୀନ
1 min read
ନନ୍ଦିଘୋଷ ବ୍ୟୁରୋ : ପୁଣି NCERTରୁ ବାଦ୍ ପଡିଲା ପାଇକ ବିଦ୍ରୋହ । NCERT ପାଠ୍ୟ ପୁସ୍ତକରୁ ପୁଣି ଏକ ଐତିହାସିକ ବିଷୟକୁ ବାଦ ଦିଆଯାଇଛି । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ସେ ସୋସିଆଲ୍ ମିଡିଆ ଏକ୍ସରେ ଏନେଇ କହିଛନ୍ତି ଯେ, NCERT ପାଠ୍ୟ ପୁସ୍ତକରୁ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ ଦିଆଯିବା ନେଇ ମୁଁ ଚିନ୍ତିତ । ପାଇକ ବିଦ୍ରୋହ ଓଡ଼ିଶା ଇତିହାସର ଏକ ଐତିହାସିକ ମୁହୂର୍ତ୍ତ ଥିଲା କାରଣ ଆମ ସାହସୀ ପାଇକମାନେ ୧୮୧୭ ମସିହାରେ ଅତ୍ୟାଚାରୀ ବ୍ରିଟିଶ ବିରୋଧରେ ଅସାଧାରଣ ସାହସର ସହିତ ଲଢିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତ ସରକାରଙ୍କୁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନେକ ଥର ଅନୁରୋଧ କରିଥିଲେ । ପାଇକମାନେ ଅତୁଳନୀୟ ସାହାସର ସହିତ ବିଦେଶୀ ଉପନିବେଶବାଦୀ ଶାସନ ଏବଂ ଅତ୍ୟାଚାର ବିରୋଧରେ ଲଢିବା ପାଇଁ ଏବଂ ସ୍ୱର ଉଠାଇବା ପାଇଁ ଏକାଠି ହୋଇଥିଲେ ।
ଆଜିକୁ ୨୦୦ବର୍ଷ ବର୍ଷ ପରେ ତଥା ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବେ ମହାନ ପାଇକ ବିଦ୍ରୋହ ହୋଇଥଲା । ଯାହା ବ୍ରିଟିଶ ଶାସନ ବିରୋଧରେ ଜନ ଆନ୍ଦୋଳନର ଏକ ମଶାଲବାହକ ପାଲଟିଥିଲା; ତାହାକୁ NCERT ପାଠ୍ୟ ପୁସ୍ତକରୁ ବାଦ ଦିଆଯିବା ଆମ ସାହସୀ ପାଇକ ମାନଙ୍କ ପ୍ରତି ଏକ ବଡ଼ ଅପମାନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଏହା ଛଡା ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଇକ ବିଦ୍ରୋହ ଏବଂ ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ।
https://x.com/Naveen_Odisha/status/1947540022338679210