ନବୀନଙ୍କ ଜନ୍ମଦିନକୁ ସେବାର ଦିବସ ଭାବେ ପାଳିବ ବିଜୁ ଜନତା ଦଳ

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ପୁରି ୭୯ ବର୍ଷ ବୟସରେ ପାଦ ଥାପିବେ ନବୀନ । ସେବା ଓ ତ୍ୟାଗର ପ୍ରତୀକ ନବୀନଙ୍କ ଜନ୍ମଦିନକୁ ସେବାର ଦିବସ ଭାବେ ପାଳିବ ବିଜୁ ଜନତା ଦଳ । ଏହି ଦିନ ସାରା ରାଜ୍ୟରେ ବିଜେଡି ମେଗା ରକ୍ତଦାନ ଶିବିର ଆୟୋଜନ କରିବ । ଏଥିସହ ନବୀନ ସରକାର ସମୟର ସଫଳତା ନେଇ ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ବି କରିବ ବିଜେଡି । ହେଲେ ନିଜ ନିଜ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳିବେ ନବୀନ।

ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂରିବ ୭୮ ବର୍ଷ । ଆସନ୍ତା ୧୬ ତାରିଖରେ ୭୮ ପୁରି ୭୯ ବର୍ଷ ବୟସରେ ପାଦ ଦେବେ ନବୀନ। ସେବାର ଏହି ସାଧକଙ୍କ ଜନ୍ମଦିନକୁ ଜନସେବାରେ ନିୟୋଜିତ କରିବ ବିଜୁ ଜନତା ଦଳ । ପ୍ରତି ଜୀବନ ମୂଲ୍ୟବାନ । ଏହି ନାରା ଦେଇଥିଲେ ନବୀନ । ଯେଉଁଥି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ, ସମସ୍ତଙ୍କ ଜୀବନ ରକ୍ଷା ଦିଗରେ ଅବିଶ୍ରାନ୍ତ କାମ କରିଥିଲେ ନବୀନ । ରକ୍ତ ଅଭାବରୁ ଯେପରି କୌଣସି ଜୀବନ ନ ଯାଏ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବୀନ।

ଜୀବନ ବିନ୍ଦୁ ନାଁରେ ରକ୍ତଦାନ ଶିବିର ଆୟୋଜନ କରି ଆସୁଛି ବିଜେଡି। ଯାକଯମକ ଠାରୁ ଦୂରରେ ରହୁଛନ୍ତି ନବୀନ । ନିରାଡମ୍ବର ଭାବେ ପାଳନ୍ତି ଜନ୍ମଦିନ। ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ସେବାର ସାଧନା ହେବ । ଏହି ଦିନ ଶଙ୍ଖ ଭବନରୁ ଆରମ୍ଭ କରି ସାରା ରାଜ୍ୟରେ ମେଗା ରକ୍ତଦାନ ଶିବିର ଆୟୋଜନ କରିବ ବିଜେଡି। ସେହିପରି ରୋଗୀ ଓ ଅସହାୟଙ୍କୁ ଫଳ ବଣ୍ଟନ ମଧ୍ୟ କରାଯିବ । ନିଜ ଶାସନର ୨୪ ବର୍ଷରେ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ନବୀନ। ତେଣୁ ତାଙ୍କ ଜନ୍ମଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ସରକାର ସମୟର ସଫଳତା ନେଇ ଆଲୋଚନା କରାଯିବ ।

ବିଜୁ ବାବୁଙ୍କ ଆଦର୍ଶ ଓ ନବୀନଙ୍କ ବିକାଶ ନୀତିକୁ ନେଇ ଗଠନ ହୋଇଛି ବିଜୁ ଜନତା ଦଳ । ରାଜ୍ୟ ଓ ରାଜ୍ୟବାସୀ ଆଗ। ଏହି ମୂଳମନ୍ତ୍ର ଧରି ନବୀନ ସାରା ଓଡ଼ିଶାକୁ ନିଜ ପରିବାର କରି ପାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପଦରେ ନଥିଲେ ବି ନବୀନଙ୍କୁ ଝୁରୁଛନ୍ତି ରାଜ୍ୟବାସୀ।

ସରଳ ଜୀବନ ଓ ବିକାଶ ପଥରେ ଓଡ଼ିଶା । ଏ ହେଉଛି ନବୀନଙ୍କ ଏକ ମାତ୍ର ଏଜେଣ୍ଡା । ଯାହାକୁ ନେଇ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାକୁ ସୁଶାସନ ଦେବାରେ ସକ୍ଷମ ହୋଇଥିଲେ । ଜନସେବାକୁ ପ୍ରାଧାନ୍ୟ ଦେଉଥିବା ନବୀନଙ୍କ ନୀତି ଓ ଆଦର୍ଶକୁ ନେଇ ତାଙ୍କ ୭୯ ତମ ଜନ୍ମଦିନ ପାଳିବ ବିଜୁ ଜନତା ଦଳ ।