୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତାରେ କରୋନାକୁ ନେଇ ସତର୍କ କରିବା ସହ ନଡରିବାକୁ ପରାମର୍ଶ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ୧୦ ପ୍ରତିଶତ ଲୋକଙ୍କ ପାଇଁ ସମସ୍ୟା ୧୦୦ ପ୍ରତିଶତ ବଢିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ।  କରୋନାକୁ ନକଡରି ଏହାର ମୁକାବିଲା କରିବା ପାଇଁ ଆହ୍ୱାନ କରିବା ସହ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ପ୍ରତି ସଦଭାବ ପ୍ରଦର୍ଶନ କରିବାକୁ ସେ କହିଛନ୍ତି ।

ବାର୍ତ୍ତା ଆରମ୍ଭରେ  ମୁଖ୍ୟମନ୍ତ୍ରୀଙ୍କ କହିଥିଲେ ଯେ, ଗତ ୧୦ ଦିନ ତଳେ ସେ ରାଜ୍ୟବାସୀଙ୍କ ସହିତ କଥା ହେବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୧ ଥିଲା । ଯାହା ଏବେ ଦୁଇ ଗୁଣ ବଢିଛି । ତେବେ ଏଥିରେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।କରୋନାକୁ ନଡରି ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କାରଣ ସତର୍କ ରହିଲେ ବିପଦକୁ ଖୁବ ସହଜରେ ଏଡେଇ ହେବ ।

୧. ପ୍ରବାସୀଙ୍କ ଯତ୍ନ 

କରୋନା ପରେ ବାହାରେ ଫସି ରହିଥିବା ଓଡ଼ିଆ ଆଗକୁ ରାଜ୍ୟକୁ ଫେରିବେ  । ଏହିକଥାକୁ ମନେ ପକାଇ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଓଡିଶା ହେଉଛି ପ୍ରଥମ ରାଜ୍ୟ, ଯିଏ ବାହାରେ ରହୁଥିବା ନିଜ ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିଛି । ରାଜ୍ୟରେ କରୋନା ପରିସ୍ଥିତି  ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଥିବା ପାଇଁ ସେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ନିଜାମଉଦ୍ଦିନ ଫେରନ୍ତାଙ୍କ ପରେ କୋଲକତା ଫେରନ୍ତାଙ୍କ ଉପଯୁକ୍ତ ଯତ୍ନ ନେବା ରାଜ୍ୟ ପାଇଁ ଏବେ ଚ୍ୟାଲେଂଜ୍ ବୋଲି ସେ କହିଛନ୍ତି ।

୨.ଆଗାମୀ ଦିନ ଆହ୍ୱାନର ସମୟ

ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ।  ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାନ୍ତି । ସେମାନେ ସମସ୍ତେ ଆମର ପିଲାଛୁଆ । ଏଥିପାଇଁ ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ସମସ୍ତେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ।

୩. ସାବଧାନ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ

ସମସ୍ତଙ୍କୁ ସାବଧାନ ରହିବା ପାଇଁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଧୈର୍ଯ୍ୟ ରଖିବାକୁ ମଧ୍ୟ ସେ କହିଛନ୍ତି । ବାହାରୁ ଫେରୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍ ରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା ପାଇଁ କହିଛନ୍ତି ।  ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ। ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ରହିଛି । ଯଦି ସରକାରଙ୍କ ନିୟମ ମାନି ସମସ୍ତେ ଚଳିବେ, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବେ, ତାହେଲେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply