ପୂର୍ବ ନବୀନ ସରକାରଙ୍କ ବାଟ ଅନୁସରଣ କଲେ ମୋହନ ସରକାର
1 min readଭୁବନେଶ୍ଵର: ପୂର୍ବ ନବୀନ ସରକାରଙ୍କ ବାଟ ଅନୁସରଣ କଲେ ମୋହନ ସରକାର । ଏ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା। କପି ରୋକିବାକୁ ଗତ ବର୍ଷ ପରୀକ୍ଷାମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ବାଡ ଗଠନ କରି ସଫଳତା ପାଇଥିଲେ ନବୀନ ସରକାର। ଚଳିତ ବର୍ଷ ଏହି ଫର୍ମୁଲାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀ ସରକାର। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟିଏ ଗ୍ରୁପ୍ ରହିବେ। ପରୀକ୍ଷାକୁ ଆଉ ୪୦ ଦିନ ବାକି ଥିବା ବେଳେ ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଥିବାବେଳେ ସେଥିରୁ ୨୦୪ଟି ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ଵବିଦ୍ୟାଳୟ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ଏବର୍ଷ ୧୨୬୮ଟି ପରୀକ୍ଷା କେନ୍ଦ୍ର ଓ ୮ଟି ଉପକେନ୍ଦ୍ର କରାଯାଇଛି । ଯାହାକି ଏହି ୨୦୫ଟି ହବ୍ ଅଧୀନରେ ରହିବ । ପୂର୍ବରୁ ଥିବା ରାଜ୍ୟସ୍ତରୀୟ ସ୍କ୍ବାଡ ଭାଙ୍ଗି ଜିଲ୍ଲାସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇ ପ୍ରତି ଜିଲ୍ଲାରେ ସ୍କ୍ବାଡ ଗଠନ ହେବ। ଏହାର ସଦସ୍ୟମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିବେ। ସ୍କ୍ବାଡରେ ଜିଲ୍ଲା ବାହାର ଅଧ୍ୟାପକମାନେ ହିଁ ସଦସ୍ୟ ରହିବେ। ସେମାନଙ୍କ ଖର୍ଚ୍ଚ ବହନ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଜିଲ୍ଲାସ୍ତରୀୟ ସ୍କ୍ବାଡ ସହ ପରିଷଦର ଜୋନସ୍ତରୀୟ, ହବ୍ ଅବଜର୍ଭର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ ମଧ୍ୟ ସ୍କ୍ବାଡ ଗଠନ କରାଯିବ। ଯେଉଁମାନେ ହବ୍ ସୁପରଭାଇଜର ଦାୟିତ୍ଵରେ ରହିବେ, ସେମାନଙ୍କ ସମ୍ପର୍କୀୟ ପରୀକ୍ଷାର୍ଥୀ ହୋଇ ନ ଥିବା ଆବଶ୍ୟକ ।
ଜିଲ୍ଲାସ୍ତରୀୟ ସ୍କ୍ବାଡ ରହିଲେ, ସବୁ କେନ୍ଦ୍ର ଯାଞ୍ଚ କରିବା ସହଜ ହେବ। ତେବେ ଜିଲ୍ଲାର ଦୂରତା ଦେଖି ଖର୍ଚ୍ଚ ନିର୍ଦ୍ଧାରଣ କରିବାକୁ ଅଧ୍ୟାପକ ମହଲରୁ ପରାମର୍ଶ ଦିଆଯାଇଛି ।
ଯେଉଁଠାରେ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ପରୀକ୍ଷାର ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ଥିବେ, ସେଭଳି ସ୍ଥଳେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ଵରେ ରଖାଯିବ । ସୁପରଭାଇଜରଙ୍କ ବ୍ୟତୀତ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାଚମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିବେ । ହବର ଷ୍ଟ୍ରଙ୍ଗ୍ ରୁମରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୋଲିସ ପହରା ବ୍ୟବସ୍ଥା କରାଯିବ।