ବିଶ୍ବ ଆଦିବାସୀ ଦିବସରେ ପୁଣି ଦାବି ଦୋହରାଇଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ପୁଣି ଆଦିବାସୀଙ୍କ ସ୍ବାର୍ଥରେ ବାହାରିଲେ ନବୀନ । ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ଯତା ମିଳୁ ବୋଲି ବିଜେଡି ସୁପ୍ରିମୋ ପୁଣି ଦାବି କରିଛନ୍ତି । କହିଛନ୍ତି, ଆଦିବାସୀଙ୍କ ଶିକ୍ଷା, ଜୀନ ଜୀବିକା ସଶକ୍ତ କରିବା ପାଇଁ ଏହା ନିହାତି ଜରୁରୀ । ସେହିପରି ୧୬୯ ଗୋଷୀଙ୍କୁ ମଧ୍ଯ ମାନ୍ଯତା ମିଳୁ ବୋଲି ନବୀନ ଦାବି ଦୋହରାଇଛନ୍ତି ।

ଓଡ଼ିଶାରେ ୬୪ ଆଦିବାସୀ ଜନଜାତି ଓ ୧୩ ଆଦିମ ଜନଜାତି ଅଛନ୍ତି । ବିଜେଡି ସରକାର ଅମଳରେ ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରାଯାଇଥିଲା । ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଥିଲା । ସେହିପରି ଆଦିବାସୀ ପୂଜ୍ଯପୂଜାଙ୍କୁ ସମ୍ମାନିତ କରାଯାଇଥିଲା । ତାର ଉଦାହରଣ ହେଉଛି କୋରାପୁଟ, କଳାହାଣ୍ଡି, ବାରିପଦା ମେଡିକାଲ କଲେଜର ନାମକରଣ । କୋରାପୁଟ ମେଡିକାଲ କଲେଜକୁ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ କରାଯାଇଥିଲାବେଳେ କଳାହାଣ୍ଡି ମେଡିକାଲ କଲେଜକୁ ସହିଜ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରାଯାଇଥିଲା ।

ସେହିପରି ବାରିପଦା ମେଡିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରାଯାଇଥିଲା । ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି । ଜଙ୍ଗଲ ଜମି ଅଧିକାର ହେଉ କିମ୍ବା ଶିକ୍ଷାର ପ୍ରସାର ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିପାରିଥିଲା ବିଜେଡି । ତେଣୁ ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ସରକାର ଆଗକୁ ମଧ୍ଯ ଯୋଜନା ଜାରି ରଖନ୍ତୁ । ଆଦିବାସୀଙ୍କ ସହ ବିଜେଡି ସବୁବେଳେ ରହିଆସିଛି ଓ ରହିବ ବୋଲି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।