ଗଜପତି ଯାଉଛନ୍ତି ନବୀନ, ଭେଟିଦେବେ BSKY

ଭୁବନେଶ୍ୱର: ଆଜି ଦିନିକିଆ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶହରା ପୂର୍ବରୁ ଗଜପତିବାସୀଙ୍କୁ ଭେଟିଦେବାକୁ ନବୀନ ଗସ୍ତ କରୁଛନ୍ତି  ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟାରେ ଗଜପତି ଷ୍ଟାଡିୟମ ଠାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ୪୯୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।

ପରେ ୧୧ଟା ୨୨ ମିନିଟରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ନବୀନ । ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ତୃଣମୂଳସ୍ତରରେ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ପକ୍ଷରୁ ସଭାସ୍ଥଳରେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରାଯାଇଛି ।

ସେପଟେ ଗଜପତି ଜିଲ୍ଲା ଗସ୍ତ ପୂର୍ବରୁ ଉତ୍ସାହିତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ସହିତ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । ଜିଲ୍ଲାବାସୀଙ୍କୁ ସହଜରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply