ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବୀନଙ୍କ ମିଶନ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଦୌଡିବ ବିକାଶର ରଥ । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ ଚଳାଚଳ, ନୂତନ ମେଡ଼ିକାଲ କଲେଜ, ବସଷ୍ଟାଣ୍ଡ ସହ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର କରିବେ ଶୁଭାରମ୍ଭ । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡିଗସ୍ତକୁ ନେଇ ପୂରା ପଶ୍ଚିମ ଓଡ଼ିଶାରେ ଦେଖାଦେଇଛି ଉତ୍ସାହର ମାହୋଲ ।

କଳାହାଣ୍ଡି । ଭୋକର ଭୂଗୋଳରୁ ବିକାଶର ପ୍ରୟୋଗଶାଳା । ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ । ଆଉ ନିଜର ଜନ୍ମଦିନରେ ଆଉ ପାଦେ ଆଗେଇବ କଳାହାଣ୍ଡିର ରୂପାନ୍ତରଣ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ  । ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ବିକାଶର ପର୍ବ ଆରମ୍ଭ ହେବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ପଶ୍ଚିମ ଓଡ଼ିଶାର ଲାଇଫଲାଇନ ସାଜିଥିବା ବିଜୁ ଏକ୍ସପ୍ରେସ ଓ୍ବେ ପରେ ଗମନାଗମନର ସୁବିଧା ପାଇଁ କଳାହାଣ୍ଡିରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହେବ । ଏହାସହ କଳାହାଣ୍ଡି ମେଡ଼ିକାଲ କଲେଜ, ନୂତନ ବସଷ୍ଟାଣ୍ଡ, ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ । ଜିଲ୍ଲାର ବିକାଶକୁ ଆଗେଇନେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ହୋଇଛି କଳାହାଣ୍ଡି ।

ପୂଜାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ବବହନ କରୁଛି । ଧାନ ଉତ୍ପାଦନରେ ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କଳାହାଣ୍ଡିର ସାମଗ୍ରିକ ବିକାଶ ସମସ୍ତଙ୍କୁ ଆକର୍ଷିତ କରୁଛି । ଗତ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡିର ଉତକେଲାକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ସାରା ରାଜ୍ୟରେ ଏବେ ରୂପାନ୍ତରଣର ପର୍ବ ଚାଲିଛି । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଶିଳାନ୍ୟାସ କରୁଛନ୍ତି ମୁଖ୍ୟନ୍ତ୍ରୀ  । କେବଳ କଳାହାଣ୍ଡି ନୁହେଁ ଆଗକୁ ବିଭିନ୍ନ ଜିଲ୍ଲାଗସ୍ତ କରି ରୂପାନ୍ତରିତ ଓଡ଼ିଶାର ପ୍ରକ୍ରିୟାକୁ ନବୀନ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର । ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଶତପ୍ରତିଶତ ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଉ ଏତିକିବେଳେ ନବୀନଙ୍କ ପଶ୍ଚିମ ଓଡ଼ିଶାକୁ ଗସ୍ତକୁ ନେଇ କଳାହାଣ୍ଡିରୁ ଭୁବନେଶ୍ବର ଯାଏ ଚାଲିଛି ଜୋରଦାର ଚର୍ଚ୍ଚା ।