ଉଦାହରଣ ସାଜିଛି ନବୀନ ମଡେଲ, ସାରା ଦେଶ କରୁଛି ଅନୁସରଣ

ନନ୍ଦିଘୋଷ ବ୍ୟୁରୋ: ସୁଶାସନ କ୍ଷେତ୍ରରେ ଓଡ଼ିଶାର ନବୀନ ମଡ଼େଲକୁ ସାରା ଦେଶ ଅନୁସରଣ କରୁଛି । ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ସାରାଦେଶ ପାଇଁ ଉଦାହରଣ ସାଜିଛି । ସୁନ୍ଦରଗଡ଼ରେ ବର୍ଜ୍ୟବସ୍ତୁ ପରିଚାଳନା ମଡେଲରୁ ଆରମ୍ଭ କରି କୋରାପୁଟର ମୋବାଇଲ ଆପରେ ଶିକ୍ଷା, ସ୍ବାସ୍ଥ୍ୟ ପହଞ୍ଚାଇବା ପ୍ରକ୍ରିୟା ଦେଶର ଟପ ମଡେଲରେ ସ୍ଥାନ ପାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ସୁଶାସନ ଉପରେ ଜାତୀୟ ସମ୍ମିଳନୀରେ ନବୀନ ସରକାରରେ ନିଆଯାଇଥିବା ଓଡ଼ିଶାର ବିଭିନ୍ନ ମଡ଼େଲକୁ କରାଯାଇଛି ପ୍ରଶଂସା ।

ଆଗଉଛି ଓଡ଼ିଶା, ଶିଖୁଛି ଭାରତ । ଲୋକାଭିମୁଖୀ ସରକାର ପାଇଁ ନବୀନ ସରକାରଙ୍କ ମଡେଲକୁ ମିଳୁଛି ପ୍ରଶଂସା । ସାରା ଦେଶ ପାଇଁ ଉଦାହରଣ ସାଜିଛି ନବୀନ ସୁଶାସନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ଓଡ଼ିଶାର ବିଭିନ୍ନ ଶାସନ ମଡେଲକୁ ଅନ୍ୟ ରାଜ୍ୟ ଅନୁସରଣ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ଜିଲ୍ଲାରେ ନିଆଯାଇଥିବା ଅଭିନବ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୮ରୁ ଆରମ୍ଭ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ମଡେଲକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଅନୁସରଣ କରୁଛନ୍ତି । ବିଶେଷ କରି ସ୍ବଚ୍ଛ ସାଥୀଙ୍କୁ ନିୟୋଜିତ କରି ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରିବାରେ ସୁନ୍ଦରଗଡ଼ ସାରା ଦେଶରେ ଏକ ନମ୍ବର ହୋଇଛି । ଏହାର ମନିଟରିଂ ପାଇଁ ସ୍ବତନ୍ତ୍ର ମୋବାଇଲ ଆପ୍ ଖୁବ ସହାୟକ ହେଉଛି । ସେହିପରି କୋରାପୁଟ ଜିଲ୍ଲା ସୁଶାସନ ପାଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି । ୨୦୨୦ରୁ ଆରମ୍ଭ ହୋଇଥିବା ପ୍ରୟାସ ଏବେ ସୁଫଳ ଆଣୁଛି । ଗର୍ଭବତୀ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ପାଇଁ ଜନ୍ମଶ୍ରୀ ଆପ୍, ସ୍କୁଲ ଓ କଲେଜ ପିଲାଙ୍କୁ ଉନ୍ନତ ପାଠ୍ୟକ୍ରମ ଯୋଗାଇବାକୁ ଜ୍ଞାନଦୀପ ଆପ୍ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଦୃଷ୍ଟି ଆପ୍ ଖୁବ୍ ଲୋକପ୍ରିୟ ହୋଇଛି ।

ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ସୁଶାସନ ପ୍ରସଙ୍ଗରେ ଜାତୀୟ ସମ୍ମିଳନୀରେ ଓଡ଼ିଶା ଚମକିବା ସହିତ ଜାତୀୟ ସ୍ତରରେ ସମ୍ମାନ ମିଳିଛି । ବିଭିନ୍ନ ରାଜ୍ୟର ଅଧିକାରୀ, ଜିଲ୍ଲାପାଳମାନଙ୍କୁ ନେଇ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶାର ପେପରଲେସ୍ ପ୍ରଶାସନ ପାଇଁ ଓସ୍ବାସ, ସୁଭଦ୍ରା ଯୋଜନା, ମିଶନ ଶକ୍ତି, ସ୍ବଚ୍ଛ ସାଥୀ, ଡିଏମ୍ଏଫ୍ ପରିଚାଳନା ପାଇଁ ପ୍ରଶଂସା ସାଉଁଟିଛି । ଅନ୍ୟ ରାଜ୍ୟର ଭଲ ମଡ଼େଲକୁ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଯେମିତିକି ଗୋଟିଏ ପ୍ଲାଟଫର୍ମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବାବଦରେ ସବୁ ପ୍ରକାରର ବିବରଣୀ ପାଇଁ ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ପ୍ରଶଂସିତ ହୋଇଛି । ସର୍ବୋଦୟ ଓ୍ବେବ ପ୍ଲାଟଫର୍ମରେ ସରକାରୀ ଯୋଜନା ବିଷୟରେ ସମସ୍ତ ସୂଚନା ମିଳିପାରୁଛି ।

କେନ୍ଦ୍ର ସରକାରଙ୍କ ଜନ ଶୁଣାଣି ନିର୍ଦ୍ଦେଶାଳୟ ଓ ଓଡ଼ିଶା ସରକାର ମିଳିତ ଭାବେ ସୁଶାସନ ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜନ କରିଛନ୍ତି । ପଛୁଆ ଜିଲ୍ଲା ଭାବେ ଜଣାଶୁଣା ନୀତି ଆୟୋଗ ଦ୍ବାରା ସ୍ଥିରୀକୃତ ଆକାଂକ୍ଷୀ ଜିଲ୍ଲାରୁ ପ୍ରେରଣାଦାୟୀ ଜିଲ୍ଲା କରିବାକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଭିନ୍ନ ଭିନ୍ନ ମଡେଲ ହାତକୁ ନିଆଯାଉଥିବା ବେଳେ ଓଡ଼ିଶା ଏଥିରେ ଆଗରେ ରହିଛି ।