ନବୀନଙ୍କ ଯୋଜନା ଦେଶର ମଡେଲ, ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଢାଞ୍ଚାରେ ବିଶ୍ବକର୍ମା

ଭୁବନେଶ୍ବର: ନବୀନଙ୍କ ଯୋଜନା ଦେଶର ମଡେଲ। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଢାଞ୍ଚାରେ ଦେଶରେ ଆରମ୍ଭ ହେଉଛି ବିଶ୍ବକର୍ମା ଯୋଜନା। ଅଣସଂଗଠିତ ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ଏହି ଯୋଜନା ଲାଗୁ ହେବାକୁ ଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀଙ୍କ ପରି ୫୦ଟି ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ କଲ୍ୟାଣ ବୋର୍ଡ ଯୋଜନାରେ ସାମିଲ କରିଛନ୍ତି । ଏଥିରେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହୟତା ୪ଲକ୍ଷ ଟଙ୍କା, ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କା ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ଓଡ଼ିଶାର ଅଣସଂଗଠିତ ଶ୍ରମିକ ବୋର୍ଡ ଜରିଆରେ ହିତାଧୀକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ୨୦୧୭ ମସିହାରୁ ଶ୍ରମିକ ବୋର୍ଡ ଜରିଆରେ ୩ଲକ୍ଷ ୬୫ହଜାର ପଞ୍ଜିକୃତ ଶ୍ରମିକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଦେଶରେ ନବୀନଙ୍କ ଯୋଜନା ଢାଞ୍ଚାରେ ବିଶ୍ବକର୍ମା ଯୋଜନା କାର୍ଯ୍ୟକାରୀ ହେବା ଭଲ ନିଷ୍ପତ୍ତି ବୋଲି ବିଜେଡି କହିଛି ।

ପୂର୍ବରୁ ରାଜ୍ୟ ସରକାରଙ୍କ କାଳିଆ, ମମତା ପରି ଅନେକ ଯୋଜନାକୁ ପୂରା ଦେଶ ଅନୁକରଣ କରି ବିଭିନ୍ନ ଯୋଜନା କରିଛି। ଅନେକ ସମୟରେ କେନ୍ଦ୍ର ଯୋଜନାଠାରୁ ରାଜ୍ୟ ସରକାରଙ୍କ ଯୋଜନାରେ ବହୁତ ଭଲ ବ୍ୟବସ୍ଥା ଥିବା ବି ପ୍ରମାଣିତ ହୋଇଛି। ଜନସେବାରେ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ସଫଳତା ହାସଲ କରିଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମିଳିଛି। ରାଜ୍ୟ ଢାଞ୍ଚାରେ ଦେଶରେ ବିଭିନ୍ନ ଯୋଜନା ଲାଗୁ ହେବା ଓଡ଼ିଶା ପାଇଁ ଗର୍ବ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି।

ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ନବୀନଙ୍କ ଏପରି ନିଷ୍ପତ୍ତିରେ ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶ୍ରମିକ କଲ୍ୟାଣ ନୀତି ଏବେ ଦେଶ ଗ୍ରହଣ କରିବାକୁ ଯାଉଛି।