ବାତ୍ଯାର ମୁକାବିଲା କ୍ଷେତ୍ରରେ ନବୀନ ମଡେଲ ସାଉଁଟିଛି ଜାତୀୟ ଓ ଅନ୍ତର୍ଜାତୀୟ ଖ୍ଯାତି

ଭୁବନେଶ୍ବର : ୨୯ ଅକ୍ଟୋବର, ୧୯୯୯ । ସବୁଦିନ ପରି ନଥିଲା କିନ୍ତୁ ସେଦିନର ସକାଳ। ସବୁଠି ଅଣଚାଷ ପବନର ତାଣ୍ଡବ। ସୁସୁ ଗର୍ଜନ। ଛାତିଥରାଇ ଦେବା ପରି ଦୃଶ୍ଯ। ଜଳ, ସ୍ଥଳ, ଗିରିବନ, ଗାଁ, ସହରରୁ ସମୁଦ୍ର…ସବୁଠି ଧ୍ବଂସର ଲୀଳା। ବେଳକୁ ବେଳ ବଢୁଥିଲା ପବନ। ହେଲେ ଥମିଲାନି ପ୍ରଳୟର ବେଗ। ଶହେରୁ ଦୁଇ ଶହ, ଦୁଇ ଶହରୁ ତିନିଶହ କିମି ବେଗରେ ବହିଲା ପବନ। ମହାବାତ୍ଯାର ଆଁରେ ଲୀନ ହେଉଥିଲା ଜନପଦ। ଗୋଟିଏ ମିନଟ କଟିଲେ ଲାଗୁଥିଲା କଟିଲା ଗୋଟିଏ ଯୁଗ। ସୁପରସାଇକ୍ଲୋନର ରକ୍ତମୁଖୀ ଜିହ୍ବାରେ ନିର୍ବାପିତ ହେବାରେ ଲାଗିଥିଲା ଧନଜୀବନ। ତାହାରି ଭିତରେ ସମୁଦ୍ରର ପ୍ରକାଣ୍ଡ ଜୁଆର ଖେଳାଇଥିଲା ଆତଙ୍କ। ସମଗ୍ର ଉପକୂଳ ଅଞ୍ଚଳରେ ଝଡ଼ର ତାଣ୍ଡବରେ କିଏ ହଜିଥିଲା କୁଆଡ଼େ ତାହାର ରହି ନଥିଲା ହିସାବ। ଭୂପତିତ ହେବାରେ ଲାଗିଥିଲା ବିଶାଳ ଦ୍ରୁମ। ଅକସ୍ମାତ ଉଚ୍ଚ ଜୁଆରରେ ବି ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଗାଁ। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ।  ଏବେବି ସେ କାଳରାତି କଥା ମନେପଡିଲେ ଥରିଉଠେ ଛାତି। ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା ମହାବାତ୍ଯା । ୨କୋଟି ଲୋକ ହୋଇଥିଲେ ପ୍ରଭାବିତ। ୪ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା । ୯ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା ।

ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ଯା ଆଜି ବି ଆଣେ ଛନକା। ମହାବାତ୍ଯା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ମଧ୍ଯରେ ରାଜ୍ଯରେ ଦେଖାଯାଇଛି ଅନେକ ବିପର୍ଯ୍ୟୟ। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ୍, ୨୦୨୦ରେ ଅମ୍ଫନ, ୨୦୨୧ରେ ୟାସ,  ଗୁଲାବ ଓ ଜବାଦ ଏବଂ ଚଳିତ ବର୍ଷ ଦାନା ରାଜ୍ଯ ଲାଗି ଆଣିଛି ଅନେକ ଚାଲେଞ୍ଜ। ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସାରା ଦେଶରେ ଏବେ ରୋଲମଡେଲ। ତତକାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅସୀମ ଧୈର୍ଯ୍ୟ, ଜିରୋ କାଜୁଆଲିଟି ମିଶନ ସାରା ବିଶ୍ବକୁ ଦେଖାଇଛି ଆଲୋକବର୍ତ୍ତିକା। ବାତ୍ଯାର ମୁକାବିଲା କ୍ଷେତ୍ରରେ ଓଡିଶା ସାଉଁଟିଛି ଜାତୀୟ  ଓ ଅନ୍ତର୍ଜାତୀୟ ଖ୍ଯାତି ।