spot_img

Latest Posts

ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନଥିବାରୁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଚାଷୀ କୁଳର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ଏହାସହ ଓଡିଶା ଚାଷୀ କୂଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। କୃଷି ଓଡିଶା ଅର୍ଥନୀତିର ମୁଖ୍ୟ ଆଧାର। ଆମର ୭୦ ଭାଗରୁ ଅଧିକ ଲୋକଙ୍କ କୃଷି ହିଁ ଜୀବିକା ଯୋଗାଇଥାଏ। ଗତ ଦୁଇ ଦଶନ୍ଧିରେ ଓଡିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ୨୦୦୦ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡିଶାକୁ ଏ ସଫଳତା ଆଣି ଦେଇଥିଲା।

ଓଡିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବୀ କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ ସରକାରୀ ଦର ଠାରୁ ଅଧିକ ଦାମରେ ବିକ୍ରି ହେଉଛି। ଓଡିଶା ସରକାରଙ୍କ ସଂସ୍ଥା Markfed ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତି ଦରରେ ସାର ବିକୁଛି। ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜ ରାସ୍ତାକୁ ଓଲ୍ହାଇବା ଚିନ୍ତାର ବିଷୟ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଯୋଗାଣ ବ୍ୟବସ୍ଥାକୁ ପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀକୁ ଆଜି ଏ ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ। ୨୦୧୮ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖର ବିଷୟ। ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲଥିବା ଅବ୍ୟବସ୍ଥାକୁ ରୋକିବାକୁ ଯଦି ପଦକ୍ଷେପ ନିଆ ନଯାଏ ତେଵେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ସତର୍କ କରିଛନ୍ତି ବିରୋଧୀ ଦଳ ନେତା।

Latest Posts

Don't Miss