ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ବର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଉପଯୁକ୍ତ ତଦନ୍ତ ସହ ନିର୍ଦ୍ଦିଷ୍ଟ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କୁ ପାଣିପାଗ ନେଇ ମଧ୍ୟ ସମୟ ପୂର୍ବରୁ ସଚେତନ କରିବାକୁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ନବୀନ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଦୁଃଖ ଜଣାଇଛନ୍ତି । ଗତ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ନବୀନ ଗଂଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଭେଟିଥିଲେ । ଅମଳ ପୂର୍ବରୁ ବର୍ଷା ସବୁ ଫସଲ ଉଜାଡି ଦେଇଥିବାରୁ ଚାଷୀ ପରିବାର ମନସ୍ତାପ ମଧ୍ୟରେ ଅଛନ୍ତି । ଗସ୍ତ ସମୟରେ ନବୀନଙ୍କୁ ଚାଷୀମାନେ ତାଙ୍କ କଷ୍ଟ ଓ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇଥିଲେ । ଏପରିକି ସରକାର ଚାଷୀଙ୍କୁ ବର୍ଷା ପୂର୍ବରୁ କୌଣସି ମାର୍ଗଦର୍ଶିକା ଜାରି କରିନଥିଲେ । ଫସଲ ନଷ୍ଟ ପାଇଁ ଚାଷୀମାନେ ଯେପରି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି । ସେ ନିଜ ମଧ୍ୟ ଜଗତସିଂହପୁର ବାଲିକୁଦା ବ୍ଲକର ଆତ୍ମହତ୍ୟା କରିଥିବା ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାରକୁ ଭେଟିଥିଲେ ନବୀନ । ବର୍ଷାରେ ହୋଇଥିବା କ୍ଷତି ଚାଷୀଙ୍କ ଆତ୍ମବିଶ୍ବାସକୁ ଦୋହଲାଇଦେଇଛି । ତେଣୁ ସେମାନଙ୍କ ଆତ୍ମବିଶ୍ବାସକୁ ଫେରାଇ ଆଣିବାକୁ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି । ଭୌଗୋଳିକ ଅବସ୍ଥିତି ଯୋଗୁଁ ଓଡିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ଯେଉଁଥିପାଇଁ ବିଜେଡି ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଆସୁଥିଲା । ଏହି ମାନ୍ୟତା ମିଳିଥିଲେ ଓଡିଶାର ଚାଷୀଙ୍କୁ ଅତିରିକ୍ତ ସହାୟତା ମିଳିପାରିଥାନ୍ତା ବୋଲି ନବୀନ କହିଛନ୍ତି ।