ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ଟି ବ୍ରିଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,ଜଗତସିଂହପୁର ସହ ଯୋଡିହେବ କେନ୍ଦ୍ରାପଡା

1 min read

ତିର୍ତ୍ତୋଲ/ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଜଗତସିଂହପୁର ଜିଲାରେ ୨ଟି ନୂଆ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ୨ଟି ସେତୁ ହେଉଛି-ତିର୍ତ୍ତୋଲ-ପୋଷଲ ସେତୁ ଏବଂ ଜଇପୁର-କଟକଟା ସେତୁ । ସୋମବାର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ ସମୟରେ ଏହି ଦୁଇ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ୨ଟି ସେତୁ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଦେଢ ଲକ୍ଷରୁ ୨ ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି ଏବଂ ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ମା’ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ଓ ନୌବାଣିଝ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ । ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ  କରୋନା ଲଢେଇ ଓ ବିକାଶ କାମରେ ଜନସାଧାରଣଙ୍କ ସହଯୋଗ କାମନା  ମଧ୍ୟ କରିଥିଲେ ।

ପ୍ରଥମତଃ ତିର୍ତ୍ତୋଲ-ପୋଷଲ ସେତୁ ପାଇଁ ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଜଗତସିଂହପୁର ଜିଲା ସହ କେନ୍ଦ୍ରାପଡ଼ା ଜିଲା ଯୋଡି ହୋଇପାରିବ । ତିର୍ତ୍ତୋଲ ବ୍ଲକର ୧୦ଟି ପଞ୍ଚାୟତ, କୁଜଙ୍ଗ ବ୍ଲକର ୫ ଏବଂ ଗରଦପୁର ବ୍ଲକର ୫ ପଞ୍ଚାୟତର ଜନସାଧାରଣଙ୍କ ପାଇଁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥାକୁ ଏହି ସେତୁ ବହୁଳଭାବେ ସହାୟକ ହେବ । ଅନୁରୂପଭାବେ ଜଇପୁର-କଟିକଟା ସେତୁ ପାଇଁ ମୋଟ ୮୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ସେତୁ କାର୍ଯ୍ୟକ୍ଷମ ହେଲେ କଟକ ଜିଲା ସହ ଜଗତସିଂହପୁର ଜିଲା ଯୋଡି ହୋଇ ପାରିବ । ସ୍ଥାନୀୟ ରଘୁନାଥପୁର,ତିର୍ତ୍ତୋଲ ଏବଂ ମାହାଙ୍ଗା ବ୍ଲକର ୧୦ ପଞ୍ଚାୟତର ଜନସାଧାରଣ ସିଧାସଳଖ ଭାବେ ଉପକୃତ ହେବେ । ଏହି ଅଞ୍ଚଳର ପ୍ରାୟ ୫୦ ହଜାର ଲୋକ ଏହି ସେତୁ ପ୍ରତ୍ୟକ୍ଷ ଲାଭ ପାଇବେ ।

ସେତୁ ଦୁଇଟିର ଭିତ୍ତିପ୍ରସ୍ତର ସ୍ଥାପନ ପରେ ସ୍ଥାନୀୟ ଅଧିବାସୀମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଏହି ସେତୁ କାର୍ଯ୍ୟ କରାଯିବ । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ, ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave a Reply