ଓଡ଼ିଶା-ବଙ୍ଗ ସମ୍ପର୍କ ନିବିଡ଼, ନବୀନ ଜଣେ ଶକ୍ତିଶାଳୀ ନେତା

1 min read

ଭୁବନେଶ୍ୱର: ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଲେ ମମତା । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମମତା କହିଛନ୍ତି । ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ ପଟ୍ଟନାୟକ । ଏହା ସହ ମମତାଙ୍କୁ ତିନି ରଥର ରୂପାର ତିନୋଟି ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଦେଖାକରିଥିଲେ । ଏହି ଭେଟଘାଟ ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ପୁରୀରେ ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମମତା ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମମତା ବାନାର୍ଜୀ କହିଛନ୍ତି କି ମୁଁ ଆଗରୁ ମଧ୍ୟ ନବୀନ ନିବାସ ଆସିଛି । ମୁଁ ପ୍ରଥମ ଥର ଲୋକସଭା ସଦସ୍ୟ ହେବା ପରେ ବିଜୁ ବାବୁ ମୋତେ ନିମନ୍ତ୍ରଣ କରିଥିଲେ । ସେ ସମୟରେ ମୁଁ ନବୀନ ନିବାସ ଆସିଥିଲି । ପୂର୍ବରୁ ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ନବୀନ ନିବାସ ଆସିଥିଲି । ନବୀନଙ୍କ ଆତିଥେୟତାରେ ମୁଁ ଖୁସି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୈତିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇନଥିଲା ବୋଲି କହିଛନ୍ତି ମମତା ।

ଏହା ସହିତ ସେ ପୁରୀରେ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଦେଇଥିବା ୨ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପୁରୀରେ ରାଜ୍ୟ ସରକାର ଯେଉଁଭଳି ଭାବେ ତାଙ୍କୁ ଆତିଥେୟତା ଦେଇଥିଲେ ସେଥିପାଇଁ ମଧ୍ୟ ସେ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗ ପଡୋଶୀ ରାଜ୍ୟ । ଏଠାରେ ବାତ୍ୟା ଆସିଲେ ସେହି ବାତ୍ୟା ପଶ୍ଚିମବଙ୍ଗକୁ ମଧ୍ୟ ଯାଏ । ଏମିତିରେ ଆମ ମଧ୍ୟରେ ସହଯୋଗ ଜରୁରୀ ବୋଲି ସେ କହିଥିଲେ । ଆଇରନ୍ ଓରକୁ ନେଇ ପଶ୍ଚିମବଙ୍ଗ-ଓଡ଼ିଶା ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କଥା ମଧ୍ୟ କହିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ଓ ସେଠାକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମମତା ବାନାର୍ଜୀ । ନବୀନଙ୍କୁ ଜଣେ ଶକ୍ତିଶାଳୀ ରାଜନୈତିକ ନେତା ଭାବେ ବର୍ଣ୍ଣନା କରିଛନ୍ତି ମମତା । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମମତା ବାନାର୍ଜୀ କହିଥିଲେ ଯେ, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏବେଠାରୁ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।