ସଂସଦ ଭବନରେ ନବୀନ, ଏମପିଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଂସଦର ବିଜେଡି କାର୍ଯ୍ୟାଳୟରେ ଓଡ଼ିଶାର ପୁରୁଣା ପ୍ରସଙ୍ଗ ଓ ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଗମ୍ଭୀରତାର ସହ ରାଜ୍ୟର ପୁରୁଣା ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ନବୀନ ସଂସଦ ଭବନରେ ପହଞ୍ଚିବା ମାତ୍ରେ ବିଜେଡି ସାଂସଦମାନେ ତାଙ୍କୁ ପାଛୋଟି ନେଇଥିଲେ ।

ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି । ସଂସଦର ଏହି ଅଧିବେଶନରେ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି । ତେବେ ଆଜି ସଂସଦର ବିଜେଡି କାର୍ଯ୍ୟାଳୟରେ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦାବିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଣ, ଆବାସ ଯୋଜନାରେ ଘର ଯୋଗାଣ, କୋଇଲା ରୟାଲଟିରେ ରାଜ୍ୟଭାଗ ବୃଦ୍ଧି ଓ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ରର ସହଯାେଗ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ । ଏହାସହ ବକେୟା ଥିବା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ, ଦୁର୍ଗମ ଅଞ୍ଚଳରେ ଟେଲିଫୋନ ସେବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆଦି ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ।