ସବୁ ବାତ୍ଯାକୁ ସଫଳତାର ସହ ମୁକାବିଲା କରିଥିଲେ ନବୀନ ସରକାର

ଭୁବନେଶ୍ବର :  ଓଡ଼ିଶାର ଚିର ସହଚର ବାତ୍ଯା । ୧୯୯୯ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ଯା । ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଥିଲା । ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶାର ଅର୍ଥନୀତି । ଏହାପରେ ୨୦୦୦ ମସିହାରେ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଶ୍ରୀହିନ ଓଡ଼ିଶାକୁ ସଜାଡ଼ିବାକୁ ଆସିଥିଲେ ନବୀନ ପଟ୍ଟନାୟକ । ସେବେଠୁ କେତେ ବାତ୍ଯା ଆସିଛି କେତେ ବନ୍ଯା ବହିଛି । ହେଲେ ଓଡ଼ିଶା ବିପର୍ଯ୍ଯୟ ଆଗରେ ଠିଆ ହୋଇ ସଫଳତାର ସହ ମୁକାବିଲା କରିଛି । ଓଡ଼ିଶା ଭାରତରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓସଡମା ପ୍ରତିଷ୍ଠା କରିଥିଲା । ୨୦୦୫ରେ ଓଡ଼ିଶା ଢାଞ୍ଚାରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରତିଷ୍ଠା କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କୁ ବିପର୍ଯ୍ୟୟ ପରିଚାଳନାରେ ଭାଗିଦାର କରିବାରେ ଓଡ଼ିଶା ସରକାରଙ୍କ ଅଭିନବ ଉଦ୍ୟମ ସଫଳ ହୋଇଛି। ୧୯୯୯ ପରଠୁ ୨୦୨୨ ମସିହା ମଧ୍ଯରେ ଓଡ଼ିଶା ସାମ୍ନା କରିଛି ୧୧ଟି ବଡ଼ ବାତ୍ଯା । ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ, ଗୁଲାବ ଓ ଜୱାଦ ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଥିଲା । ହେଲେ ଏସବୁକୁ  ସଫଳତାର ସହ ମୁକାବିଲା କରିଥିଲେ ନବୀନ ସରକାର । ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୃରଦୃଷ୍ଟି ଯୋଗୁ ଲୋକଙ୍କ ଧନଜୀବନ ରକ୍ଷା ହୋଇପାରିଛି । ନବୀନଙ୍କ ଶୂନ ଜୀବନ ହାନୀ ନୀତିକୁ ଆଧାର କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱସ୍ତରୀୟ ଉଦାହରଣ ସୃଷ୍ଟି କରିଛି। ନବୀନ ସରକାରଙ୍କ ବାତ୍ଯା ମୁକାବିଲା କୌଶଳ ଏବଂ କାର୍ଯ୍ଯଦକ୍ଷତାକୁ ଜାତିସଂଘ ଓ କେନ୍ଦ୍ର ସରକାର ବାରମ୍ବାର ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି ।