ମିଶନଶକ୍ତି: ନବୀନ ଶାସନରେ ମିଳିଥିଲା ଅଧିକାର, ଛଡ଼ାଇ ନେବାକୁ ବସିଛନ୍ତି ରାଜ୍ୟ ସରକାର
1 min read
ଭୁବନେଶ୍ବର: ମିଶନ ଶକ୍ତି ମାଆଙ୍କୁ ନ୍ୟାୟ ବଦଳରେ ସେମାନଙ୍କ ଅଧିକାର ଉପରେ ରାଜ୍ୟ ସରକାରଙ୍କ ଶକ୍ତ ପ୍ରହାର । ସଭାପତି ଓ ସମ୍ପାଦନଙ୍କୁ ବାହାର କରି ନୂଆ ସଦସ୍ୟ ନିଯୁକ୍ତ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଘୋଷଣା ପରେ ଲକ୍ଷାଧିକ ମାଆମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହେବାକୁ ଯାଉଛି । ସରକାରଙ୍କ ଏପରି ନିଷ୍ପତ୍ତିରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ନିଜ ଲୋକଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିବାକୁ ବିଜେପି ସରକାରଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ସେପଟେ ସ୍ବୟଂ ସହାୟକ ଗୋଷ୍ଠୀ ନବୀନ ପଟ୍ଟନାୟକ ସରକାର ସମୟରେ ପାଉଥିବା ସୁବିଧାରୁ ବଞ୍ଚିତ ହେବାକୁ ଯାଉଥିବାରୁ ଅସନ୍ତୋଷ ବଢିଛି ।
ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନ କଲେ ମିଶନ ଶକ୍ତି ମାଆ । ସେମାନଙ୍କ ସ୍ବୟଂ ସହାୟକ ଗୋଷ୍ଠୀକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଭଙ୍ଗା ଯାଉଥିବା ନେଇ ବାରମ୍ବାର ଅଭିଯୋଗ କରିଛନ୍ତି । ଏନେଇ ବିଭିନ୍ନ ଫୋରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଯେଉଁ ନ୍ୟାୟ ଆଶାରେ ସେମାନେ ସରକାରଙ୍କୁ ଭେଟି ଗୁହାରୀ ଜଣାଇଥିଲେ ତାହା ଆଜି ଭାଙ୍ଗି ଚୁରମାର ହୋଇଯାଇଛି । କାରଣ ଉପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସେମାନଙ୍କୁ ପୁଣି ଚୁଲିମୁଣ୍ଡକୁ ଠେଲିବାକୁ ଯାଉଛି । ପୂର୍ବର ସଭାପତି ଓ ସମ୍ପାଦକଙ୍କୁ ବାହାର କରି ନୂଆ ସଦସ୍ୟ ରଖିବାକୁ ଘୋଷଣା ହୋଇଛି । ସେହିପରି GPLF ଓ CLF, BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ରହିଛନ୍ତି ସେମାନେ ବି ବାହାରିବେ । ସରକାରଙ୍କ ଏପରି ଘୋଷଣା ପରେ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ମହିଳାଙ୍କୁ ବ୍ୟବହାର କରିବାକୁ ଚାହୁଁଥିବା ଅଭିଯୋଗ କରିଛି ବିଜେଡି । ଯେଉଁ ମହିଳା ଭଲ କାମ କରି ଲକ୍ଷପତି ଦିଦି କରିଛନ୍ତି ସେମାନଙ୍କୁ ଅପମାନ କରିବାକୁ ଏ ଷଡ଼ଯନ୍ତ୍ର । ବିଜେପି ସରକାର ସେମାନଙ୍କୁ ବାହାର କରିଦେଲେ ସେମାନେ କୁଆଡେ଼ ଯିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଜି ବି ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ବିଜେପି ସରକାର ଡରୁଛି ।
ନୂଆ ସରକାର ଆସିବା ପରେ ମିଶନ ଶକ୍ତି ଉପରେ ପ୍ରହାର ହୋଇଥିବାରୁ ମାଆମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବ ନବୀନ ପଟ୍ଟନାୟକ ସରକାର ମହିଳାଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ବିଭିନ୍ନ ପଦବୀରେ ନିଯୁକ୍ତି ସହ ସହାୟତା ଦେଇଥିଲେ । ହେଲେ ବର୍ତ୍ତମାନର ସରକାର ମହିଳାଙ୍କୁ ଆଗକୁ ବଢିବାକୁ ସହାୟତା ବଦଳରେ ଛଟେଇ ଯୋଜନା କରୁଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ।
ମାଆମାନଙ୍କୁ ନେଇ ବି ରାଜନୀତି । ସେମାନଙ୍କୁ ସ୍ବାବଲମ୍ବୀ କରି ସମାଜରେ ସମ୍ମାନ ଦେଇଥିବା ନବୀନ ସରକାରଙ୍କ ଯୋଜନାକୁ ବର୍ତ୍ତମାନର ସରକାର ବରଦାସ୍ତ କରୁନାହାନ୍ତି କି ? ଏପରି ପ୍ରଶ୍ନ ଏବେ ବିଭିନ୍ନ ମହଲରୁ ଉଠୁଥିବାବେଳେ ସରକାରଙ୍କ ପାଖରେ ନାହିଁ ଏହାର ଜବାବ ।