ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି: କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା
1 min read
ଭୁବନେଶ୍ବର: ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି । ଯାହାକୁ ଦେଖିଲେ ଶୁଣିଲେ ଅତ୍ୟନ୍ତ ବିଚଳିତ ଲାଗୁଛି । ଗୋଟିଏ ଦିନରେ ଯାଜପୁର, ଜଗତସିଂହପୁର ଗଣଦୁଷ୍କର୍ମ, ମାଲକାନଗିରି ଓ ପୁରୀରେ ଝିଅ ଅସଦାଚରଣ ଦେଖି ଏପରି କ୍ଷୋଭ ପ୍ରକାଶ କରି ସୋସିଆଲ ମିଡିଆ ଏକସ୍ରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରଠୁ ଗାଁ ସବୁଠି ମହିଳାଙ୍କ ପାଇଁ ଅସୁରିକ୍ଷତ ହୋଇପଡ଼ିଛି । ଦିନ ଦ୍ବିପହର ହେଉ କି ରାତି ଜଣେ ଯୁବତୀ ଘରୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଜଣେ ଛାତ୍ରୀ ସ୍କୁଲ, କଲେଜ୍ କିମ୍ବା ଟ୍ୟୁସନ ଗଲେ ଘରକୁ ଭଲରେ ଫେରିବ ଏ ଗ୍ୟାରେଣ୍ଟି ଆଉ ନାହିଁ । ପାଦେ ପାଦେ ଏବେ ବିପଦ । ଏହା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା କିଛି ବି ନାହିଁ । ଯେତେବେଳେ ପୋଲିସ ରାଜନୈତିକ ଚାପ ଓ ହସ୍ତକ୍ଷେପ ଯୋଗୁ ପ୍ରଭାବିତ ହେଉଛି ସେଠି ମହିଳା ଓ ଝିଅଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଯେଉଁଥିପାଇଁ ଗତମାସରେ ଆମେରିକା ସରକାର ଲେଭଲ-୨ ଭ୍ରମଣ ସତର୍କତା ଜାରି କଲେ । ଯେଉଁଥିରେ ଜଗନ୍ନାଥଙ୍କ ମାଟି ଓଡ଼ିଶା ସାମିଲ ରହିଛି ।
ଗୋଟିଏ ପଟେ ରାଜ୍ୟରୁ ମାଓ ହିଂସା କମୁଥିବାବେଳେ କାଁ ଭାଁ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । କିନ୍ତୁ ସବୁଠୁ ବଳିଗଲାଣି ମହିଳାଙ୍କ ଉପରେ ଅତ୍ୟାଚାର । ଗତ ୧୭ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯେପରି ସନ୍ଧ୍ୟା ସାଢ଼େ ୫ଟା ପରେ ଛାତ୍ରୀଙ୍କ ଯିବାଆସିବା ପରେ ଯେପରି ନୋଟିସ ଜାରି କଲେ ଯାହାକୁ ପରବର୍ତ୍ତୀ ଅବସ୍ଥାରେ ପ୍ରତ୍ୟାହାର ବି କରାଯାଇଛି । କିନ୍ତୁ ଏହା ପ୍ରମାଣିତ କରୁଛି ରାଜ୍ୟରେ ସରକାରଙ୍କ ଅପାରଗତା ଏତେ ବଢିଲାଣି ଆଉ ଅପରାଧୀମାନେ ପୋଲିସକୁ ଡରୁନାହାନ୍ତି । ଏପରି ନୋଟିସ ଜାରି କରି ମହିଳାଙ୍କୁ ଦଣ୍ଡିତ କରାଯାଉଛି ସିନା ବାସ୍ତବରେ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଉନି । ରାଜନୈତିକ ଇଚ୍ଛାଶକ୍ତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଏପରି କାଣ୍ଡ ଆଗକୁ ଆହୁରି ବଢିବ ବୋଲି ନବୀନ ସତର୍କ କରାଇଦେଇଛନ୍ତି । ଏ ରାଜ୍ୟର ପ୍ରମୁଖ ରାଜନେତାମାନେ ଅନୁଭବ କରିବା ଦରକାର ପୋଲିସକୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ ସ୍ଥିତି କେତେ ସଙ୍ଗୀନ ହୁଏ । ରାଜ୍ୟ ବିଜେପି ସରକାର ଏ ଦିଗରେ ତୁରନ୍ତ ଦାୟିତ୍ବସମ୍ପନ୍ନ ଭାବେ ପଦକ୍ଷେପ ନଅନ୍ତୁ । ଏହାସହିତ ସରକାର ଓ ବ୍ୟବସ୍ଥା ଉପରେ ମହିଳାମାନଙ୍କ ବିଶ୍ବାସ ଯେପରି ବଜାୟ ରହିବ ସେଥିପ୍ରତି ଏ ସରକାର ଶପଥ ନିଅନ୍ତୁ । ବିଜୁ ଜନତା ଦଳ ମା ଓ ଭଉଣୀଙ୍କୁ ସବୁବେଳେ ସମ୍ମାନ ଦେଇଆସିଛି । ମହିଳା ବିରୋଧୀ ହିଂସା ବିରୋଧରେ ସ୍ବରକୁ ଆହୁରି ଶାଣିତ କରିବ ।