ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ ନବୀନ

1 min read

ଭୁବନେଶ୍ବର: ଆଜି ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ  ।  ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ବୈଠକ ବସିବ । କେନ୍ଦ୍ର-ରାଜ୍ୟ ସମ୍ପର୍କ ନେଇ ଏଥିରେ ହେବ ବିଶଦ ଆଲୋଚନା । ତୈଳବୀଜ, ଡାଲିଜାତୀୟ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ଉନ୍ନତ ଶସ୍ୟ ପରିଚାଳନା, କୃଷକ ସମ୍ପ୍ରଦାୟର ବିକାଶ, ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ପରିଚାଳନା ଆଦି ପ୍ରସଙ୍ଗରେ ହେବ ଆଲୋଚନା ।

ନୀତି ଆୟୋଗର ବିଭିନ୍ନ ପ୍ରସ୍ତାବର ରୂପାୟନ ଲାଗି ଗତ ଜୁନରେ ହିମାଚଳ ପ୍ରଦେଶ ଧର୍ମଶାଳାରେ ଆୟୋଜିତ ହୋଇଥିଲା ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀ । ଆସନ୍ତା ବର୍ଷ ହେବାକୁ ଯାଉଥିବା ଗ୍ରୁପ-୨୦ ବୈଠକ ପୂର୍ବରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ  । ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ  । ବିଶେଷକରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇବେ ନବୀନ । ପ୍ରତିବର୍ଷ ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି । ଏଣୁ ରାଜ୍ୟର ବିକାଶ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି  । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଜରୁରୀ  ।

ଦୀର୍ଘ ଦୁଇ ଦଶଦ୍ଧି ଧରି କେନ୍ଦ୍ର ନିକଟରେ ଏହି ଦାବି ରଖାଯାଉଥିଲେ ବି ପ୍ରତିଶ୍ରୁତି ଦେଇ କେନ୍ଦ୍ର ଅଣଦେଖା କରୁଛି  । ଆଜି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବିକୁ ପୁଣି ଦୋହରାଇବେ ନବୀନ  । ଏହା ସହିତ କୃଷି, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ସହାୟତା ପାଇଁ ଦାବି ରଖିବେ  । ରେଳବାଇ, ବ୍ୟାଙ୍କିଂ, ମୋବାଇଲ ଯୋଗାଯୋଗ ପ୍ରସଙ୍ଗ ଉଠାଇ ରାଜ୍ୟର ହକ ମାଗିବେ ମୁଖ୍ୟମନ୍ତ୍ରୀ  ।