କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ
1 min readଭୁବନେଶ୍ୱର: କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ । ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଏହି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ ।
ସୂଚନାଯୋଗ୍ୟ, ଆଗାମୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ । ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ଆମ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ । କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ ।
ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅତ୍ୟାଧୁନିକ ବସ୍ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ୱତନ୍ତ୍ର କିଓସ୍କ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଚିତ୍ରକଳା ଓ ପେଣ୍ଟିଂ ରଖାଯିବ ।
ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏଥିରେ ଏକ ବୃହତ ଟର୍ମିନାଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ।
୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ୍ କୋର୍ଟ, କ୍ଲକ ରୁମ୍, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ । ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ । ଯାତ୍ରୀମାନଙ୍କ ସୁବିଧା ପାଇଁ ଇଣ୍ଟିଗ୍ରେଟେଡ୍ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ ମଧ୍ୟ ରହିବ ।
ଏହି ନିର୍ମାଣ ପାଇଁ କଟକର ରିଂ ରୋଡକୁ ଆଉ ୨ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ସଂଚାଳନା କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ଏହି ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ ।