ଆକର୍ଷଣ ହେବ ଶିଖରଚଣ୍ଡୀ ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ

1 min read

ଭୁବନେଶ୍ବର: ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର । ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି କରି ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର କରାଯିବ । ୫୩ ଦଶମିକ ୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ ।

ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ । ଜୋନ-୩ ଓ ୪ ରେ ମନୋରଞ୍ଜନ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରାଯିବ ।