ଶକ୍ତିଶାଳୀ ହେବ ବିଜେଡି, କ୍ଷମତା ନୁହେଁ ସେବାକୁ ମୂଳମନ୍ତ୍ର କରିବାକୁ ନବୀନ ଦେଲେ ଆହ୍ବାନ

1 min read

ଭୁବନେଶ୍ବର: କ୍ଷମତା ନୁହେଁ ଲୋକଙ୍କ ସେବା ହିଁ ବିଜେଡିର ଲକ୍ଷ୍ୟ । ଛାତ୍ର, ଯୁବ, ମହିଳା ସମସ୍ତେ ଏକଜୁଟ ହୋଇ ବିଜେଡିକୁ କରିବେ ଆହୁରି ଶକ୍ତିଶାଳୀ । ଏଥିପାଇଁ କାମ କରିବାକୁ ଛାତ୍ର ଜନତା ଦଳର ବୈଠକରେ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜେଡିର ଆଦର୍ଶ । ୨୭ ବର୍ଷ ଧରି ଓଡିଶାବାସୀଙ୍କ ସେବା କରିଆସୁଛି ବିଜେଡି ।

ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ପାରିଛି । ନବୀନ କହିଛନ୍ତି, ନିର୍ବାଚନରେ ହାରଜିତ ରହିଛି । ଗତ ନିର୍ବାଚନରେ ବିଜେଡି ୪୧.୦୨ ପ୍ରତିଶତ ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା । ଓଡିଶାବାସୀଙ୍କ ଏ ଭଲପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ।

ବିଜେଡି ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା । ଯାହାକି ଓଡିଶା କୁ ପୂର୍ବ ଭାରତର ଓଡ଼ିଶାକୁ ଏକ ଶିକ୍ଷା ହବ୍ ଭାବେ ଗଢିତୋଳିପାରିଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ସହ ଫାଇଭ-ଟି ସ୍କୁଲ ରୂପାନ୍ତରଣ ସୁଫଳ ଦେବା ଆରମ୍ଭ କରଛି । ଏହି ଅବସରରେ ଡାକ୍ତର ବନିବାକୁ ଯାଉଥିବା ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ । ସେହିପରି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ମଧ୍ଯ ହୋଇପାରିଛି । ସମାଜିକ ଗଣମାଧ୍ଯମରେ ଆକ୍ଚିର ରହିବା ସହ ଭୁଲ ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ନବୀନ ।

ସେହିପରି ବିଜେପି ସରକାର ଓଡ଼ିଶାବାସୀଙ୍କୁ ଦେଇଥିବା ଧୋକା ସମ୍ପର୍କରେ ନୈରାଶ୍ଯ ପ୍ରକାଶ କରିଛନ୍ତି ନବୀନ । ପ୍ରତି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି, ସବୁ ଭତ୍ତା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ସୁଭଦ୍ରାରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇ ବିଜେପି ଠକି ଚାଲିଛି । ଏ ଦିଗରେ ଲୋକଙ୍କୁ ସଚେତନ କରିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ କାମ କରିବାକୁ ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି ନବୀନ । ଛାତ୍ର ସମାଜକୁ ଭବିଷ୍ୟତର କର୍ଣ୍ଣଧାର ଭାବରେ ବର୍ଣ୍ଣନା କରି ପ୍ରତିବଦ୍ଧତାର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇ ପାରିବ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି ।