ନେତା ଓ କର୍ମୀଙ୍କୁ ବିଜେଡି ସୁପ୍ରିମୋଙ୍କ ମନ୍ତ୍ର, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସେବା କର

ଭୁବନେଶ୍ବର: ପାଞ୍ଚ ପାଞ୍ଚ ଥର ନିରଙ୍କୁଶ ସଫଳତା ପାଇଥିବା ବିଜେଡି ଷଷ୍ଠଥର ପାଇଁ ଲୋକଙ୍କ ଆସ୍ଥାଭାଜନ ହେବାକୁ ରୋଡମ୍ୟାପ୍‌ ପ୍ରସ୍ତୁତି ଆରମ୍ଭ କରିଛି । ଲୋକଙ୍କ ପାଖକୁ ଯିବା ସହ ବିକାଶର ଧାରା ଆଗକୁ ନେବାକୁ ନବୀନ ବ୍ରିଗେଡ୍ ଲାଗି ପଡ଼ିଲେଣି । ଆଗକୁ ସେମାନଙ୍କୁ ଟ୍ରେନିଂ ଦେଇ ଜନସେବାକୁ ବ୍ୟାପକ କରିବାର ମନ୍ତ୍ର ଦିଆଯିବ । ଫୋକସରେ ରହିବ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା । ଏପରି କିଛି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସେବା କର । ନବୀନ ନିବାସରେ ବିଜେଡି ନେତା ଓ କର୍ମୀଙ୍କୁ ଜନସେବାର ଏହି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ କରିବ ଦଳ । ନେତାଙ୍କଠାରୁ ୱାନ ଟୁ ୱାନ ଅଞ୍ଚଳର ସମସ୍ୟା ବୁଝିଛନ୍ତି ନବୀନ ପଟ୍ଟନାୟକ । ସମାଧାନର ବାଟ ବି ବତାଇଛନ୍ତି । ମାର୍ଗଦର୍ଶନ କରାଇଛନ୍ତି ବିଜେଡି ସଭାପତି । ଏକ ସପ୍ତାହ ଭିତରେ ଶଙ୍ଖ ଭବନରେ ଆରମ୍ଭ ହେବ ଟ୍ରେନିଂ କାର୍ଯ୍ୟକ୍ରମ ।

ପ୍ରତି ନିର୍ବାଚନମଣ୍ଡଳୀର ୨ଶହ କର୍ମୀଙ୍କୁ ସୋସିଆଲ ମିଡିଆର ବ୍ୟବହାର, ରାଜ୍ୟ ସରକାରଙ୍କ ଜଣକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ ପାଇଁ ଟ୍ରେନିଂ ଦେବେ ବିଜେଡିର ଅଭିଜ୍ଞ ନେତା । ଦୈନିକ ଚାରିଟି ନିର୍ବାଚନମଣ୍ଡଳୀର ଟିମକୁ‌ ଘଣ୍ଟାଏ ଲେଖାଏ ଟ୍ରେନିଂ ଦିଆଯିବ । ସେହିପରି ଘରେଘରେ ଶଙ୍ଖ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ପ୍ରତି ୧୩ ଜଣ ଗୋଟିଏ ବୁଥ୍‌ ସଭ୍ୟ ଅଛନ୍ତି । ସେମାନେ ପ୍ରତି ୱାର୍ଡରୁ ୪ ସଦସ୍ୟ ବାଛିବେ । ବିଜେଡି ଭୋଟ୍‌   ବଢ଼ାଇବା ଦିଗରେ କାମ କରାଯିବ । ଦଳର ଭୋଟ ଦେଢ଼ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରତିବର୍ଷ ଭଳି ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ଜୟପ୍ରକାଶ ନାରାୟଣ ଜୟନ୍ତୀଠାରୁ ଏକ ମାସ ବୃଦ୍ଧି କରାଯାଉଛି । ଏଥର ଡିସେମ୍ବର ୨୫ ଯାଏ ବୃଦ୍ଧି ପାଇଁ ସୁପ୍ରିମୋଙ୍କୁ କିଛି ନେତା ପ୍ରସ୍ତାବ ଦେଇଛନ୍ତି । ତା’ ପରଦିନ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ନିର୍ବାଚନୀ ବର୍ଷ ହୋଇଥିବାରୁ ପଦଯାତ୍ରାରୁ ଆରମ୍ଭ ହୋଇ ନିଆରା ଢଙ୍ଗରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି । ଚଳିତ ଥର ପଦଯାତ୍ରା ଜିଲ୍ଲା ପରିଷଦ ଜୋନର ପ୍ରତି ୱାର୍ଡରେ ହେବ ।