ଦିଗଦର୍ଶନ କାର୍ଯ୍ୟକ୍ରମରେ ନବୀନଙ୍କ ଗୁରୁମନ୍ତ୍ର, ଉତ୍ସାହିତ ବିଜେଡି ବିଧାୟକ
ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ନବନିର୍ବାଚିତ ବିଧାୟକଙ୍କୁ ଗତକାଲି ଟ୍ରେନିଂ ଦିଆଯାଇଛି । ଯାହା ଶିଖିଲେ, ତାକୁ କେମିତି ଆସନ୍ତାକାଲିଠାରୁ ବିଧାନସଭାରେ କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ଦଳୀୟ ସୁପ୍ରିମୋଙ୍କ ରହିବ ତୀକ୍ଷଣ ନଜର । ଯେକୌଣସି ମୁହୂର୍ତ୍ତରେ ବି ନୂଆ ବିଧାୟକଙ୍କ ସନ୍ଦେହ ଦୂର କରିବାକୁ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାରେ ବିରୋଧୀର ଭୂମିକା ସହ ଆଚରଣ ଉଚ୍ଚାରଣକୁ ଶାଣିତ ଓ ସଭ୍ୟ ରଖିବା ଦିଗରେ କାମ କରିବେ ବିଜେଡି ବିଧାୟକ ।
କାହିଁକି ଦେବଗଡ଼କୁ ଲାଭଦାୟକ ଚାଷ ତାଲିକାରୁ ବାଦ୍ ଦେଇଛି କୃଷି ବିଭାଗ, ଏ କଥା ଜାଣି ପାରିଲେ ନାହିଁ ଦେବଗଡ଼ ବିଧାୟକ । ଏହାକୁ ବିଧାନସଭା ଅଧିବେଶନରେ କେମିତି ଓ କାହା ପାଖରେ ଉପସ୍ଥାପନ କରିବେ, ତାକୁ ଗତକାଲି ଭଲ ଭାବେ ବରିଷ୍ଠ ଓ ଅଭିଜ୍ଞଙ୍କ ନେତାଙ୍କ ଠାରୁ ବୁଝି ପାରିଲେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ପ୍ରଶିକ୍ଷଣ ଶିବିରରେ ଏହିପରି ଅନେକ ଲାଭଦାୟକ ଶିକ୍ଷା ପାଇଛନ୍ତି ବିଜେଡିର ନବ ନିର୍ବାଚିତ ବିଧାୟକ । କେନ୍ଦ୍ର ଅବହେଳା ଓ ଡବଲ ଇଂଜିନ ସରକାରଙ୍କ ଡବଲ ଧୋକ୍କା ବିରୋଧରେ କିପରି ଶାଣିତ ସ୍ବର ଉଠାଯିବ, ସେ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି ଗୁରୁମନ୍ତ୍ର । ଗଣତନ୍ତ୍ରରେ ସରକାରୀ ଦଳ ପରି ବିରୋଧୀ ଦଳର ବି ବଡ଼ ଦାୟିତ୍ବ ରହିଛି । ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ରକ୍ଷକ ହୋଇପାରିବେ । ସେ କଥା ସମସ୍ତ ବିଧାୟକଙ୍କୁ ଭଲ ଭାବେ ବୁଝାଇଛନ୍ତି ନବୀନ ।
ରାଜ୍ୟର ସ୍ବାର୍ଥ ଆଗ । ଏହାକୁ ବିଧାନସଭାରେ ଉଠାଇବାର କୌଶଳ ଶିଖିବା ପରେ ଆସନ୍ତାକାଲି ଅଧିବେଶନ ପାଇଁ ସଜ୍ଜବାଜ ହୋଇଛନ୍ତି ବିଜେଡିର ନବ ନିର୍ବାଚିତ ବିଧାୟକ । ଏହି କର୍ମଶାଳା ବିଧାୟକଙ୍କ ପାଇଁ ଏକ ଡାଉଟ କ୍ଲିୟରିଂ କ୍ଲାସ ପରି ହୋଇଥିଲା । ନୂଆ ବିଧାୟକଙ୍କ ଡାଉଟକୁ ଯେକୌଣସି ସମୟରେ କ୍ଲିୟର କରିବାକୁ ବରିଷ୍ଠ ନେତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏଥିପାଇଁ ସେମାନଙ୍କ ଫୋନ ସବୁ ସମୟରେ ଅନ୍ ରହିବ । କାରଣ ଏତେ ବର୍ଷର କ୍ଷମତା ପରେ ବିରୋଧୀ ଆସନକୁ ଆସିଛି ବିଜେଡି । କେବଳ ସରକାରୀ ଦଳ ସିଟରେ ବସିଥିବା ବିଧାୟକ ଏବେ ନୂଆ ଭୂମିକା ଭାବେ ବିରୋଧୀ ଦଳ ଦାୟିତ୍ବ ନିର୍ବାହ କରୁଛନ୍ତି ।
ସମସ୍ତ ନୂଆ ବିଧାୟକଙ୍କୁ ବିଧାନସଭାରେ ଦିଗଦର୍ଶନ ଦିଆଯିବାର ପରମ୍ପରା ରହିଛି । ହେଲେ ଚଳିତ ଥର ସଂସଦୀୟ ନିୟମକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ଦେବାର ଯେଉଁ ନକରାତ୍ମକ ଉଦାହରଣ ସୃଷ୍ଟି ହୋଇଛି, ତାକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ କାର୍ଯ୍ୟକ୍ରମକୁ ବଏକଟ୍ କରିଥିଲେ । ହେଲେ ଏକ ଦାୟିତ୍ବବାନ ରାଜନୈତିକ ଦଳ ଭାବେ ନିଜ ବିଧାୟକଙ୍କୁ ଦିଗଦର୍ଶନ ଦେଇଛି ବିଜୁ ଜନତା ଦଳ । ମୁଲତବି ପ୍ରସ୍ତାବ, ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ, ପ୍ରଶ୍ନୋତ୍ତର, ଶୂନ୍ୟ କାଳ ପରି ସଂସଦୀୟ ଫର୍ମାଟ ଜରିଆରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟିର କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ବିଜେଡି ବିଧାୟକମାନଙ୍କୁ ଦିଗଦର୍ଶନ ଦିଆଯାଇଛି ।
ସରକାରଙ୍କ ତ୍ରୁଟିକୁ କିପରି ଆଗକୁ ଆଣି ସୁସ୍ଥ ସମାଜ ଗଠନ କରାଯିବ ସେ ନେଇ ବିଭିନ୍ନ ସମୟରେ ବିଜେଡିର ବରିଷ୍ଠ ନେତାମାନେ ଗୃହ ଭିତରେ ଓ ବାହାରେ ସାଜିବେ ଦିଗଦର୍ଶକ । ବିଧାୟକମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବେ ନବୀନ ।