ଚାକିରି ଛାଡି ଚାଷ କଲେ, ପିିଜୁଳି ଚାଷରେ ନାମ ଅର୍ଜିଲେ

ରାଉଲକେଲା:  ଷ୍ଟିଲ ପ୍ଲାଣ୍ଟ ଚାକିରି ଛାଡି ପିଜୁଳି ଚାଷ ପ୍ରତି ମନ ବଳେଇଛନ୍ତି ଯାଜପୁରର ନଟବର ବିଶ୍ୱାଳ । ଖାଲି ସେତିକି ନୁହେଁ ବର୍ଷକ 12 ମାସରେ ମୁଖ୍ୟତଃ ପିଜୁଳି ଚାଷ କରିଥିବା ବେଳେ ତା ସହ ବିରି, କଦଳୀ, ସାରୁ ଓ ସପୁରି ଚାଷ ମଧ୍ୟ କରିଛନ୍ତି ନଟବର । ଏହି ପିଜୁଳି ଚାଷ ପାଇଁ 10 ଜଣ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ 10 ଜଣଙ୍କ ପରିବାରଙ୍କୁ ମଧ୍ୟ ଚଳାଉଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ ମଧ୍ୟ ଆତ୍ମସନ୍ତୋଷ ନ ମିଳିବାରୁ ଚାକିରି ଛାଡି ଏବେ ଚାଷକୁ ଆପଣାଇଛନ୍ତି 60 ବର୍ଷୀୟ ନଟବର ବିଶ୍ଵାଳ ।

ପଶ୍ଚିମବଙ୍ଗ ବୁଲିବା ପାଇଁ ଯାଇ ଫଳ ଚାଷ ଦେଖିଥିଲେ ଆଉ ଏବେ 5 ଏକର ଜମିରେ ବିଭିନ୍ନ କିସମର ପିଜୁଳି ଚାଷ କରି ବେଶ ଆତ୍ମସନ୍ତୋଷ ଲାଭ କରୁଛନ୍ତି ନଟବର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ବିରୋଳି ଗ୍ରାମର 5 ଏକର ଜମିରେ ପିଜୁଳି ଚାଷ କରିଛନ୍ତି ନଟବର । ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ । ଚାକିରି ବେଳେ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ଫଳ ଚାଷ ଦେଖିବା ସହ ନିଜେ ଚାଷ କରିବକୁ ମନବଳାଇଥିଲେ । ଖାସ ଚାଷ କରିବା ପାଇଁ ଚାକିରି ଛାଡିଦେଇଥିଲେ ଏହି ପ୍ରେରଣାଦାୟୀ କୃଷକ ।

ପ୍ରାୟ 5 ଏକର ଜମିରେ ଆଲହାବାଦ,କାଶୀବିଶ୍ୱନାଥ ସଫେଦ ଓ ବିଭିନ୍ନ କିସମର ପିଜୁଳି ଚାଷ ଆରମ୍ଭ କରିଥିଲେ । 12 ଫୁଟ ଅନ୍ତରାଳରେ ପ୍ରାୟ 15 ସହ ପିଜୁଳି ଗଛ ଲଗାଇଛନ୍ତି ନଟବର । ମାତ୍ର ଦୁଇ ବର୍ଷରେ ଫଳିଛି ପିଜୁଳି । ନଟବର ମହାରାଷ୍ଟ୍ରରେ ଅଙ୍ଗୁରୁ ଓ ପିଜୁଳି ଚାଷ ପାଇଁ ତାଲିମ ମଧ୍ୟ ନେଇଛନ୍ତି । କେବଳ ପିଜୁଳି ନୁହେଁ ତା ସାଙ୍ଗକୁ ବିରି, କଦଳୀ, ସାରୁ ଓ ସପୁରି ଚାଷ ମଧ୍ୟ କରୁଛନ୍ତି । ଚାଷ କାମରେ ନଟବରଙ୍କ ଜ୍ଵାଇଁ ମଧ୍ୟ ଦେଖାଶୁଣା କରନ୍ତି । ଏହି ପିଜୁଳି ଚାଷରେ ବର୍ଷକୁ 2 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ହେଉଛି । ସେଥିରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ସ୍ୱାବଲମ୍ବୀ କରିପାରୁଥିବା କହିଛନ୍ତି ନଟବର ।

ସେହିପରି ପିଜୁଳି ଚାଷ ସହ ଧାଡି ମଧ୍ୟରେ ଟ୍ରାକ୍ଟରରେ ହଳ କରାଯାଇ ସମନ୍ୱିତ ଚାଷ ପ୍ରଣାଳୀରେ ବିଭିନ୍ନ ପ୍ରକାରର ପନିପରିବା ସହ ରବି ଫସଲ ମଧ୍ୟ ଚାଷ କରିଛନ୍ତି ଏହି ଚାଷୀ । ଚାରାରୋପଣ , ଜଳସେଚନ ବ୍ୟବସ୍ଥା, ମଜୁରୀ ସହ ଏଯାବତ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ନଟବର । ଏବେ ପିଜୁଳିରୁ ଜାମ୍ ପ୍ରସ୍ତୁତି ପାଇଁ ମଧ୍ୟ ଏକ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସେପଟେ ଚାଷ ପାଇଁ ଜଳର ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ବ୍ୟବସ୍ଥିତ ନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳରେ ରାଜ୍ୟ ସରକାର ପାଣିର ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି ନଟବର ।

Leave a Reply