ଯଦି ଋଷ କୌଣସି ଗୋଟିଏ ବି ରାସାୟନିକ ଅସ୍ତ୍ର ପ୍ରୟୋଗ କରେ ତାହାଲେ…

1 min read

ୱାସିଂଟନ: ଋଷ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡ଼ା ଘୋଷଣା । ଯଦି ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ଗୋଟିଏ ରାସାୟନିକ ଅସ୍ତ୍ର ପ୍ରୟୋଗ କରନ୍ତି, ତେବେ ନାଟୋ ଏହାର ଜବାବ ଦେବ ବୋଲି ଧମକ ଦେଇଛନ୍ତି ବାଇଡେନ । ବ୍ରସଲେସରେ ଆୟୋଜିତ ନାଟୋ ସମ୍ମିଳନୀରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ବାଇଡେନ । ୟୁକ୍ରେନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ୧ ବିଲିୟନ ଡଲାର ମୂଲ୍ୟର ମାନବିକ ସହାୟତା ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି ବୋଲି ବାଇଡେନ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଥିବା ଶରଣାର୍ଥୀଙ୍କ ସଂଖ୍ୟା ୩୭ ଲକ୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ଶରଣାର୍ଥୀଙ୍କୁ ଆମେରିକା ଗ୍ରହଣ କରିବ ବୋଲି  ସେ କହିଛନ୍ତି । ସେପଟେ ୟୁକ୍ରେନରେ ମାନବିକ ସଂକଟ ପ୍ରସଙ୍ଗରେ ଋଷର ଏକ ପ୍ରସ୍ତାବ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ସମେତ ୧୨ଟି ରାଷ୍ଟ୍ର ବିରତ ରହିଛନ୍ତି  । ସିରିୟା, ଉତ୍ତରକୋରିଆ ଓ ବେଲାଋଷର ସହଯୋଗରେ ଋଷ ଯେଉଁ ପ୍ରସ୍ତାବ ଆଗତ କରିଥିଲା ତାହା ଆବଶ୍ୟକ ସଂଖ୍ୟକ ଭୋଟ ଅଭାବରୁ ଖାରଜ ହୋଇଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ଚୀନ ଓ ଋଷ ଭୋଟ ଦେଇଥିବା ବେଳେ, ବିରୋଧରେ କୌଣସି ରାଷ୍ଟ୍ର ଭୋଟ ଦେଇ ନଥିଲେ । ଭାରତ ଓ ଅନ୍ୟାନ୍ୟ ନିରାପତ୍ତା ସଦସ୍ୟ ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ ।

ସେପଟେ ଋଷ ବିରୋଧରେ ଲଢେଇ ଲାଗି ତୁରନ୍ତ ଅତ୍ୟାଧୁନିକ ଲଢୁଆ ଜେଟ, ମିସାଇଲ ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ, ସାଞ୍ଜୁଆ ଯାନ, ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଆଦି ଯୋଗାଇବାକୁ ନାଟୋ ସଦସ୍ୟ ରାଷ୍ଟ୍ରକୁ ଆହ୍ବାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହି ସଂଖ୍ୟା ରୋକିବା ଲାଗି ତୁରନ୍ତ ଅସ୍ତ୍ରଶସ୍ତ୍ର ସହାୟତା ଜରୁରୀ ବୋଲି ଜେଲେନସ୍କି କହିଛନ୍ତି । ୟୁକ୍ରେନରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ଏକରକମ ନିଶ୍ଚିତ ବୋଲି ସେ ସୂଚନା ଦେଇଛନ୍ତି ।

ନାଟୋ ଓ ଗ୍ରୁପ-7 ରାଷ୍ଟ୍ରର ନେତାଙ୍କୁ ଜେଲେନସ୍କି ମାରିଉପୋଲରେ ଜଳୁଥିବା ଏକ ବୃହତ ଋଷୀୟ ଯୁଦ୍ଧଜାହାଜର ଭିଡିଓ ଫୁଟେଜକୁ ମଧ୍ୟ ଜାରି କରିଛନ୍ତି । ପୂର୍ବରୁ ୟୁକ୍ରେନକୁ ନାଟୋ ବିପୁଳ ଟ୍ୟାଙ୍କ ବିଧ୍ବଂସୀ ରକେଟ ଯୋଗାଇଥିଲା । ସେପଟେ ୟୁକ୍ରେନକୁ ଯୁଦ୍ଧବିମାନ ଓ ଅନ୍ୟାନ୍ୟ ବୃହତ ଅସ୍ତ୍ର ଯୋଗାଇବାକୁ ଅଗ୍ରାହ୍ୟ କରିଛନ୍ତି ବାଇଡେନ । ଯଦି ଆମେରିକା ଏହା ଯୋଗାଏ ତେବେ ତୃତୀୟ ବିଶ୍ବଯୁଦ୍ଧ ଘଟିବ ବୋଲି ବାଇଡେନ କହିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ ଧ୍ବଂସଲୀଳାର ରେଡ ଲାଇନ ପାର୍ ହୋଇଯାଇଛନ୍ତି ବୋଲି କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ତେଣେ ରାସାୟନିକ ଓ ଆଣବିକ ଆକ୍ରମଣର ପ୍ରତିରୋଧ ଲାଗି ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଓ ବୁଲଗେରିଆରେ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ଅଧିକ ସୈନ୍ୟ ମୁତୟନ କରାଯାଇଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗ ।