ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା: ସାତ୍ବିକ- ଚିରାଗଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

1 min read

ନୂଆଦିଲ୍ଲୀ :  ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଲ ଏବଂ ରାଙ୍କିରେଡ୍ଡୀ ସାତ୍ବିକ ସାଇରାଜ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ । ୨ ଜଣ ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନାଁ ଘୋଷଣା କରାଯାଇଛି । ବ୍ୟାଡମିଣ୍ଟନ ଲାଗି ଉଭୟ ଖେଳାଳି ଏହି ସମ୍ମାନଜନକ ପୁରସ୍କାର ପାଇବେ।

ଆସନ୍ତା ଜାନୁଆରୀ ୯ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ୨୬ ଜଣ କ୍ରୀଡାବିତ ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇବା ତାଲିକାରେ ଅଛନ୍ତି ।

ଅନ୍ୟପଟେ ୫ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ । ଜୀବନବ୍ୟାପୀ ସାଧନା ପାଇଁ ୩କୋଚଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯିବ। କ୍ରୀଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ୩ ବିଶ୍ୱବିଦ୍ୟାଳୟ ପାଇବେ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।