ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

1 min read
National Press Day Observed By IPR Odisha

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ ରହିଥିଲା । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସରେ ‘ମହାମାରୀ ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନଟ’ ବିଷୟବସ୍ତୁ ଉପରେ ଆଲୋଚନାରେ ବହୁ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

National Press Day Observed By IPR Odisha

ସଭା ପ୍ରାରମ୍ଭରେ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରସାରିତ ହୋଇଥିଲା । ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସାରା ପୃଥିବୀ ଏହି ଅଭାବନୀୟ କୋଭିଡ୍‌ ମହାମାରୀକୁ ସାମ୍ନା କରୁଥିବାବେଳେ ନିର୍ଭରଯୋଗ୍ୟ ଓ ବିଶ୍ୱସନୀୟ ସମ୍ବାଦ ପରିବେଷଣ କ୍ରମେ ସମୃଦ୍ଧ ସମାଜ ଗଠନରେ ସାମ୍ବାଦିକମାନଙ୍କ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ । ଉଭୟ ମଞ୍ଚ ଏବଂ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ଭିଡିଓ ବାର୍ତ୍ତାରେ କହିଥିଲେ, ପ୍ରେସ୍‌ ହେଉଛି ଲୋକତନ୍ତ୍ରର ମୂଳଦୁଆ ।

ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ମୁଦ୍ରିତ ଗଣମାଧ୍ୟମ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଅତି କଠିନ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ଖବର ପରିବେଷଣ ପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଗଣମାଧ୍ୟମର ଆବଶ୍ୟକତା ପୂରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିୟମିତ ସମ୍ବାଦ ପ୍ରେରଣ ସହିତ ଟ୍ୱିଟର, ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍ ବ୍ୟବହାର କରାଯାଇ ସୂଚନା ପ୍ରଦାନ କରାଯାଉଛି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବିଷୟକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରଶଂସା କରିଥିଲେ ।

National Press Day Observed By IPR Odisha

ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ନିଜର ବକ୍ତବ୍ୟରେ କହିଥିଲେ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ବେଳେ ରାଜ୍ୟରେ ୮୧୨୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି ଓ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ସମୟରେ ପ୍ରାଣବଳି ଦେଇଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥ ପ୍ରଦାନ କରାଯାଇଛି । କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମାକୁ ନିୟମିତ ନବୀକରଣ କାର୍ଯ୍ୟ ହେଉ ବା ସାମ୍ବାଦିକ କଲ୍ୟାଣ ପାଣ୍ଠି ଜରିଆରେ ଆର୍ଥିକ ସହାୟତା ପ୍ରଦାନ ହେଉ ରାଜ୍ୟ ସରକାର ଏସବୁ ପାଇଁ ସର୍ବଦା ଯନିଶୀଳ ଅଛନ୍ତି ।

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଡ. ଲେନିନ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍‌ ମହାମାରୀର ଆହ୍ୱାନକୁ ସାମ୍ନା କରି ଅତି ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ପାରିଥିଲେ । ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଦେବୀଲାଲ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରାସଙ୍ଗିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ତା’ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣି ଗଠନମୂଳକ ସମ୍ବାଦ ପରିବେଷଣ ପ୍ରତି ଦୃଷ୍ଟି ଦେଇଛି ।

National Press Day Observed By IPR Odisha

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, କୋଭିଡ୍‌ ମହାମାରୀ ସମୟରେ ସମ୍ବାଦ ପରିବେଷଣ ଏକ ଆହ୍ୱାନ ଥିଲା । ଏହି ଆହ୍ୱାନକୁ ସମୁଚିତ ଉପାୟରେ ମୁକାବିଲା କରି ସାମ୍ବାଦିକମାନେ ନିଜର ବୃତ୍ତିଗତ ପରାକାଷ୍ଠା ଦେଖାଇ ପାରିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ମହାମାରୀ ସମୟରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply