ପୁଣି ରାଜ୍ୟମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଲକ୍‌ଡାଉନ୍‌ ବୃଦ୍ଧି ସମର୍ଥନରେ ଅନେକ ମୁଖ୍ୟମନ୍ତ୍ରୀ

National Politics News, PM Narendra Modi To Hold Another Round Of Video Conferencing With State CM

ନୂଆଦିଲ୍ଲୀ: ପୁଣିଥରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୬ ଓ ୧୭ ତାରିଖରେ ସେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ୧୬ ତାରିଖରେ ୧୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହଭିଳି ୧୭ ତାରିଖରେ ଦେଶର ଅନ୍ୟ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଦେଶରେ ଅନ୍‌ଲକ୍‌ ୧.୦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି । ଏପଟେ କିଛି ରାଜ୍ୟ ଲକ୍‌ଡାଉନ୍‌ ବୃଦ୍ଧି କରିବା ସମର୍ଥନରେ ଅଛନ୍ତି ବୋଲି ସୂଚନା ମିଳିଛି ।

୧୬ ତାରିଖ ଅପରାହ୍ନ ୩ ଟାରେ ଆଲୋଚନା ଆରମ୍ଭ ହେବ । ୧୬ ତାରିଖ ଦିନ ବିଶେଷ କରି ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି ଓ ରିକଭରି ରେଟ୍‌ ଅଧିକ ରହିଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  ପ୍ରଧାନମନ୍ତ୍ରୀ । ଏହିସବୁ ରାଜ୍ୟଗୁଡ଼କ ମଧ୍ୟରେ ପଞ୍ଜାବ, କେରଳ, ଆସାମ, ଉତ୍ତରାଖଣ୍ଡ ଭଳି ରାଜ୍ୟ ସାମିଲ ରହିଛି ।

ଅନ୍ୟପଟେ ଯେଉଁ ସବୁ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି ସେହି ରାଜ୍ୟର ସିଏମ୍‌ ମାନଙ୍କ ସହ ଜୁନ ୧୭ରେ ଆଲୋଚନା କରିବେ ମୋଦି । ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜୁରାଟ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଏହି ତାଲିକାରେ ରହିଛି ।

ତେବେ ୧୬ ଓ ୧୭ର ଏହି ଆଲୋଚନା ଉପରେ ସାରା ଦେଶର ନଜର ରହିଛି । କାରଣ ଗୋଟିଏ ପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାର କରିଥିବା ବେଳେ ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

Leave a Reply