ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ

1 min read

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବା ପାଇଁ ଭାରତ ସରକାର ରାଷ୍ଟ୍ରୀୟ ଶୋକପ୍ରକାଶ ପାଇଁ ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଶନିବାର ଆବେଙ୍କ ସମ୍ମାନରେ ସାରାଦେଶରେ ଶୋକ ପାଳନ କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପାତାକା ଉଡିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ ଟ୍ୱିଟ କରି ଶୋକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ପ୍ରକାଶଯୋଗ୍ୟ, ଭାରତ ସହ ଶିଞ୍ଜୋ ଆବେଙ୍କ ସମ୍ପର୍କ ବହୁତ ଘନିଷ୍ଠ ଥିଲା  । ଶିଞ୍ଜୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ସହ ଅନେକ ଚୁକ୍ତିନାମା କରିଥିଲେ  । ତାଙ୍କର ମୃତ୍ୟୁ ପରେ ଭାରତ ଜଣେ ସଚ୍ଚା ବନ୍ଧୁ ହରାଇଛି  ।

 

ଅନ୍ୟ ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ମୁଁ ନିଜର ସବୁଠୁ ପ୍ରିୟ ବନ୍ଧୁ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଏବଂ ଦୁଃଖିତ  । ସେ ଏକ ବିଶ୍ୱ ରାଜନେତା ଏବଂ ଉଲ୍ଲେଖନୀୟ ପ୍ରଶାସକ ଥିଲେ  । ସେ ଜାପାନ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନ ବନାଇବା ପାଇଁ ନିଜର ଜୀବନ ସମର୍ପିତ କରିଥିଲେ  । ସୂଚନାଥାଉକି, ଆଜି ସକାଳେ ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଲିବେରାଲ ଡେମୋକ୍ରାଟିକ ଦଳ ପାଇଁ ପ୍ରଚାର କରିବା ସମୟରେ ଜଣେ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାରି ଥିଲା  ।

ସିଞ୍ଜୋଙ୍କୁ ପଛପଟୁ ଦୁଇଟି ଗୁଳି ବାଜିଥିଲା  । ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମେଡିକାଲ ନେଇଯାଇଥିଲେ  । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ପ୍ରାଣ ତ୍ୟାଗ କରିଥିଲେ ଶିଞ୍ଜୋ ଆବେ  । ତାଙ୍କୁ ଗୁଳି କରିଥିବା ୪୧ ବର୍ଷୀୟ ୟାମାଗାମୀ ତେସ୍ତୁୟାଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି  । କୁହାଯାଉଛି ସିଞ୍ଜୋଙ୍କ ଚିନ୍ତାଧାରା ସହ ସେ ସହମତ ନଥିଲେ ସେଥିପାଇଁ ଗୁଳି କରି ହତ୍ୟା କରିଛି  । ୬୭ ବର୍ଷୀୟ ଶିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ସମୟ ୯ ବର୍ଷ ଦାୟିତ୍ୱ ତୁଲାଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୨୮ ତାରିଖ ୨୦୨୦ରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ  ।