ପାଣ୍ଡିଆନଙ୍କ ସମ୍ପର୍କୀତ ଖବର ପ୍ରକାଶ ଉପରେ କ୍ଷମା ମାଗିଲା ଜାତୀୟ ଗଣମାଧ୍ୟମ

1 min read

ଭୁବନେଶ୍ବର: କାର୍ତ୍ତିକ ପାଣ୍ଡିଆନକୁ ନେଇ ପ୍ରକାଶିତ ଖବର ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିବା ପରେ ସମ୍ପୃକ୍ତ ଖବରକାଗଜ ପକ୍ଷରୁ ଭୁଲ ସ୍ବୀକାର କରାଯାଇଛି । ଏନେଇ ସମ୍ପୃକ୍ତ ଗଣମାଧ୍ୟମ ନିଃସର୍ତ୍ତ  କ୍ଷମା ପ୍ରାର୍ଥନା କରିଛି ।

ଖବର ପ୍ରକାଶ କରିଥିବା ଉକ୍ତ ଖବର କାଗଜର ସାମ୍ବାଦିକ ତାଙ୍କ ସୋସିଆଲ ମିଡିଆ ସାଇଡ Xରେ ଲେଖିଛନ୍ତି- ଜଣେ ବିଶ୍ବସ୍ତ ସୂତ୍ରର ତଥ୍ଯକୁ ବିଶ୍ବାସ କରି ଏହି ଖବର ଲେଖା ଯାଇଥିଲା । ଏ ସମ୍ପର୍କରେ ଆମେ ନବୀନ ପଟ୍ଟନାୟକଙ୍କ ମତାମତ ନେଇ ନଥିଲୁ । ନବୀନ ଏଭଳି ଖବରକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ । ଏହା ବି ଆମେ ଜାଣିବାକୁ ପାଇଛୁ ଯେ, କୌଣସି କେନ୍ଦ୍ରମନ୍ତ୍ରୀ ପାଣ୍ଡିଆନଙ୍କୁ ଭେଟି ନାହାନ୍ତି କିମ୍ବା ତାଙ୍କ ସହିତ କଥା ହୋଇ ନାହାନ୍ତି । ଏହା ପରେ ଆମେ ତ୍ରୁଟି ସଂଶୋଧନ କରୁଛୁ ଏବଂ କ୍ଷମା ପ୍ରାର୍ଥନା କରୁଛୁ ।

କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ Xରେ ଲେଖିଥିଲେ- ଜାତୀୟ ଗଣମାଧ୍ୟମର ଏହି ଖବର ସଂପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ । କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ, ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ । ଏହାପରେ ସଂପୃକ୍ତ ସାମ୍ବାଦିକ ଓ ଗଣମାଧ୍ଯମ କ୍ଷମା ମାଗିଛନ୍ତି ।