ପୁଣି ଆସନ୍ତାକାଲି ଇଡିରେ ହାଜର ହେବେ ସୋନିଆ, ଜାରି ରହିବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆଜି ଇଡିର ପଚରା ଉଚରା ସରିଛି । ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ସେ କାର୍ଯ୍ୟାଳୟ ପହଞ୍ଚିଥିଲେ । ଦୁଇଟି ରାଉଣ୍ଡରେ ତାଙ୍କୁ ପଚରା ଉଚରା କରାଯାଇଥିଲା । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରା ଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ରାଉଣ୍ଡରେ ସୋନିଆ ଗାନ୍ଧୀଙ୍କୁ ଅପରାହ୍ନ ୧.୩୦ ସମୟ ପର୍ଯ୍ୟନ୍ତ ପଚରାଉଚୁରା ଚାଲିଥିଲା ।

ଲଞ୍ଚ ପରେ ସୋନିଆ ଗାନ୍ଧୀ ପ୍ରାୟ ୩.୩୦ ସମୟରେ ପୁଣିଥରେ ଇଡି କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ପ୍ରାୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ତାଙ୍କୁ ପଚରା ଉଚୁରା କରାଯାଇଛି । ପୁଣିଥରେ ଆସନ୍ତାକାଲି ହାଜର ହେବା ପାଇଁ ଇଡି କହିଛି । ଅନ୍ୟପକ୍ଷରେ ଇଡିର ସମନ ବିରୋଧରେ କଂଗ୍ରେସ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଥିଲା । ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀ ଏବଂ ନେତାମାନେ ବିକ୍ଷୋଭ କରିଥିଲେ ।

ଏପଟେ ଦଳୀୟ ସାଂସଦଙ୍କ ସହ ରାହୁଲ ଗାନ୍ଧୀ ବିଜୟ ଚୌକ ପାଖରେ ଧାରଣାରେ ବସିଥିଲେ । ଏହାପରେ ଦିଲ୍ଲୀ ପୋଲିସ ତାଙ୍କୁ ଉଠାଇ ନେଇଛି । ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀନିଭାସ ବିଭିଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ, ଶକ୍ତି ସିଂହ ଗୋହିଲ ସମେତ ୫୦ ସାଂସଦଙ୍କୁ ପୋଲିସ ଅଟକ ରଖିଛି । ଆସନ୍ତାକାଲି ମଧ୍ୟ ସୋନିଆଙ୍କୁ ପଚରାଉଚୁରା ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଜାରି ରହିବ ବୋଲି କୁହାଯାଇଛି ।