ନ୍ୟାସନାଲ ହେରାଲ୍ଡ ବେଆଇନ ଅର୍ଥ କାରବାର ମାମଲା: ଇଡ଼ିର ସୋନିଆ ଓ ରାହୁଲଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ବେଆଇନ ଅର୍ଥ କାରବାର ମାମଲା । କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ସୋନିଆ ଓ ରାହୁଲଙ୍କ ମାଲିକାନାରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଦ୍ବାରା ଅଧିକୃତ ହୋଇଥିବା ଆସୋସିଏସେଟେଡ ଜର୍ଣ୍ଣାଲ୍ସ ଲିମିଟେଡ ବା ଏଜେଏଲର ସମ୍ପତ୍ତିକୁ ମୁମ୍ବାଇ ଓ ଲକ୍ଷ୍ମୌରେ ଠାବ କରିଛି ଇଡି ।

ଅତୀତରେ ନ୍ୟାସନାଲ ହେରାଲଡକୁ ୟଙ୍ଗ ଇଣ୍ଡିଆନ ଜରିଆରେ ପ୍ରକାଶନ କରୁଥିବା ଏଜେଏଲର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଇଡି ଏହାର ତଦନ୍ତ କରୁଥିଲା । ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ ବେଆଇନ ଭାବେ ଅକ୍ତିଆର କରିଥିବା ନେଇ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ ।

ଇଡି ଦର୍ଶାଇଛି ଯେ, ଏଜେଏଲର ପ୍ରାୟ ୯୮୮ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି । ୨୦୨୩ ନଭେମ୍ବରରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ମୌରେ ଥିବା ୬୬୧ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା ଇଡି । ଏଥିରେ ଥିଲା ଏଜେଏଲର ପ୍ରାୟ ୯୦ କୋଟି ଟଙ୍କାର ସେୟାର । ମୁମ୍ବାଇସ୍ଥିତ ହେରାଲ୍ଡ ହାଉସରେ ଚାଲିଥିବା ଜିନ୍ଦଲ ସାଉଥ ଓ୍ବେଷ୍ଟ ପ୍ରୋଜେକ୍ଟସକୁ ବି ଏକ ନୋଟିସ ପଠାଯାଇଛି । ଏହାସହ ବିଲଡିଂରୁ ଆଦାୟ ହେବାକୁ ଥିବା ଭଡା ବର୍ତ୍ତମାନଠାରୁ ଇଡି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ଏହି ଅଭିଯୋଗ ଆଣିବା ପରେ ୨୦୨୧ରେ ଏହାର ଇଡି ତଦନ୍ତ ଆରମ୍ଭ ହୋଇଥିଲା । ୨ ହଜାର କୋଟି ଟଙ୍କାର ଏଜେଏଲର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାର ୟଙ୍ଗ ଇଣ୍ଡିଆନ ହାତେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଆଇନଗତ ବିବାଦ ମଧ୍ୟରେ ଏହାର ତଦନ୍ତ ଲାଗି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଇଡିର ଅଭିଯୋଗ ଅନୁସାରେ ଜାଲ ଡୋନେସନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ବିଜ୍ଞାପନ ବାବଦରେ ୨୯ କୋଟି ଟଙ୍କା ଆଦାୟ କରାଯାଇଛି ।