ଏଣିକି ଦୁଇ ଘଣ୍ଟାରୁ କମ ସମୟ ବିମାନ ଯାତ୍ରାରେ ମିଳିବ ଖାଇବା

ନୂଆଦିଲ୍ଲୀ: ପୁଣି ଥରେ କମ ସମୟ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କୁ ମିଳିବ ଖାଇବା । ଦୁଇ ଘଣ୍ଟାରୁ କମ ସମୟ ବିମାନ ଯାତ୍ରା ସମୟରେ ଖାଇବା ଦିଆଯିବା ଉପରେ ଲାଗିଥିବା ପ୍ରତିବନ୍ଧ ଉଠିପାରେ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ସୂଚନା ଦେଇଥିବା ଜଣାପଡ଼ିଛି । ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବର୍ତ୍ତମାନର ନିୟମ ସଂଶୋଧନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟଠାରୁ ପରାମର୍ଶ ମାଗିଥିଲା । ଏହାସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏଣିକି ବିମାନରେ କ୍ରୁ ମେମ୍ବରଙ୍କୁ ସମ୍ପୂର୍ଣ୍ଣ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବନି । ତଥାପି ଗ୍ଲୋଭସ୍, ମାସ୍କ ଓ ଫେସ୍ ସିଲ୍ଡ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ନିର୍ଦ୍ଦେଶାବଳି ଅନୁସାରେ ଦୁଇ ଘଣ୍ଟାରୁ କମ ସମୟର ବିମାନଯାତ୍ରାରେ ଯାତ୍ରୀଙ୍କୁ ଖାଇବା ଦିଆଯିବାର ବ୍ୟବସ୍ଥା ନାହିଁ । ଗତ ଏପ୍ରିଲ ୧୫ ତାରିଖରୁ ଏହି କଟକଣା ଲାଗୁ ହୋଇଛି । କରୋନା ଲକଡାଉନ୍ ପରେ ମେ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା । ସେତେବେଳେ ମନ୍ତ୍ରାଳୟ ତରଫରୁ କିଛି ସର୍ତ୍ତ ସହ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ ।

କରୋନା ସଂକ୍ରମଣ ହାର କମିବା ପରେ ପୁଣି ଥରେ କମ ଦୂର ଯାତ୍ରାରେ ବିମାନ ଯାତ୍ରୀଙ୍କୁ ଖାଇବା ଦିଆଯିବା ଉପରେ ବେସାମରିକ ମନ୍ତ୍ରାଳୟ ସମୀକ୍ଷା କରୁଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏଥିପାଇଁ ଗ୍ରୀନ ସିଗନାଲ ଦେଇଥିବା ଜଣାପଡ଼ିଛି ।

Leave a Reply