ଅଜୟ ଦେବଗନ, ସୂର୍ଯ୍ୟା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କାଲି ପାଇଁ କାଲିର ସିନେମା ପୁସ୍ତକକୁ ଜାତୀୟ ପୁରସ୍କାର ମିଳିବ । ଶ୍ରେଷ୍ଠ ଆଞ୍ଚଳିକ ସିନେ ପୁସ୍ତକ ଭାବେ ଏହା ମନୋନିତ ହୋଇଛି । ୧୯୫୨ ମସିହାରେ ପ୍ରଥମ ସିନେ ପତ୍ରିକା ଭାବେ ସିନେ ଓଡ଼ିଶା ପ୍ରକାଶିତ ହୋଇଥିଲା । ଏହାପରଠାରୁ ଓଡ଼ିଆ ସିନେମାର କାହାଣୀ, ସଂଳାପ, ଚରିତ୍ର, ସଂଗୀତ ଏବଂ ବିଭିନ୍ନ ଛବିକୁ ନେଇ ଭିନ୍ନଭିନ୍ନ ସମୟରେ ପତ୍ରିକାମାନ ପ୍ରକାଶ ପାଇଛି ।

କିନ୍ତୁ ସିତା ବିବାହଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ପୁରୁଣା ଓଡ଼ିଆ ସିନେମାର ବିଭିନ୍ନ ଦିଗକୁ ନେଇ ଶ୍ରୀଯୁକ୍ତ ଦେଓ ଲେଖିଥିବା କାଲି ପାଇଁ କାଲିର ସିନେମା ଓଡ଼ିଶାର ସିନେମା ଜଗତରେ ଏକ ଦୁର୍ମୂଲ୍ୟ ଗ୍ରନ୍ଥ ଭାବରେ ପରିଗଣିତ ହେଉଛି । ପୂର୍ବରୁ ଦୁଇ ଓଡ଼ିଆ ଅଳକା ସାହାଣୀ ଏବଂ ପିୟୁଷ ରୟଙ୍କୁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । କିନ୍ତୁ ଉଭୟ କ୍ରିଟିକ ବା ସମୀକ୍ଷା କ୍ୟାଟେଗୋରୀରେ ପାଇଥିବାବେଳେ କାଲି ପାଇଁ କାଲିର ସିନେମା ପ୍ରଥମ କରି ପୁସ୍ତକ କ୍ୟାଟେଗୋରୀରେ ସମ୍ମାନଲାଭ କରିବ ।

ବରିଷ୍ଠ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ତାମିଲ ଅଭିନେତା ସୂର୍ଯ୍ୟା ୨୦୨୦ମସିହା ପାଇଁ ଶ୍ରେଷ୍ଠ ଯୁଗ୍ମ ଅଭିନେତା ଭାବେ ମନୋନିତ ହୋଇଛନ୍ତି । ତାହ୍ନାଜି ପାଇଁ ଅଜୟ ଓ ସୁରାରାଇ ପୋଟ୍ଟ୍ରୁ ପାଇଁ ସୂର୍ଯ୍ୟାଙ୍କୁ ଏହି ପୁରସ୍କାର ମିଳିବ । ସେହିପର ଅପର୍ଣ୍ଣା ବାଲମୁରଲୀ ସୁରାରାଇ ପୋଟ୍ଟ୍ରୁ ପାଇଁ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଫିଚର ଫିଲ୍ମ କ୍ୟାଟେଗୋରୀରେ ସୁରାରାଇ ପୋଟ୍ଟ୍ରୁ ଶ୍ରେଷ୍ଠତା ହାସଲ କରିଥିବାବେଳେ ହିନ୍ଦୀ କ୍ୟାଟେଗୋରୀରେ ‘ତୁଳସୀ ଦାସ ଜୁନିୟର ହୋଇଛି ଶ୍ରେଷ୍ଠ ଚଳଚ୍ଚିତ୍ର । ମନୋଜ ମୁନତାସିରଙ୍କୁ ମିଳିବ ଶ୍ରେଷ୍ଠ ଗୀତିକାର ଓ ବିଶାଲ ଭରଦ୍ବାଜ ପାଇବେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ସମ୍ମାନ ।