ଏନଡିଏରେ ସାମିଲ ହେବ କି ନ୍ୟାସନାଲ କନଫରେନ୍ସ ? ସଙ୍କେତ ଦେଲେ ଫାରୁକ ଅବଦ୍ଦୁଲା

ଜମ୍ମୁ ଓ କାଶ୍ମୀର: ସାଧାରଣ ନିର୍ବାଚନ ସମୟ ଯେତେ ପାଖଉଛି, ଇଣ୍ଡିଆ ମେଣ୍ଟର ସମସ୍ୟା ବଢ଼ି ବଢ଼ି ଯାଉଛି । ବିଜେପି ଓ ଏନଏଡିଏକୁ ଟକ୍କର ଦେବାକୁ ଏକାଠି ହୋଇଥିବା ଦଳମାନଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଅଲଗା ହେଉଛନ୍ତି । ପ୍ରଥମେ ମମତା ବାନାର୍ଜୀ, ତା’ପରେ ଅରବିନ୍ଦ କେଜ୍ରିଓ୍ବାଲ ଆଉ ଏବେ ଫାରୁକ ଅବଦ୍ଦୁଲା ଇଣ୍ଡିଆ ମେଣ୍ଟ ଛାଡି ଏକା ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଏପରିକି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲା ଏନଡିଏରେ ସାମିଲ ହେବା ମଧ୍ୟ ସଙ୍କେତ ଦେଇଛନ୍ତି ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, ‘ମୁଁ ଭାବୁଛି, ଜମ୍ମୁ ଓ କାଶ୍ମୀରରେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ହେଲେ ଆମ ଦଳ ଏକା ଏକା ନିର୍ବାଚନ ଲଢ଼ିବ । ଦେଶ ଗଠନ ପାଇଁ ଯାହା ଆବଶ୍ୟକ ସେ ସବୁ ମୁଁ କରିବି । ଯଦି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦେଖା କରିବାକୁ ଡାକିବେ ନିଶ୍ଚିତ ଦେଖା କରିବି । ଡାକରା ଆସିଲେ କିଏ ବା ମନା କରିବ ।’

ଏନଡିଏରେ ମିଶିବାକୁ ନେଇ ଫାରୁକ କହିଛନ୍ତି, ‘ବର୍ତ୍ତମାନ ସ୍ଥିତିରେ ଆମେ ଏକା ଏକା ନିର୍ବାଚନ ଲଢ଼ିବାକୁ ଯାଉଛୁ । ଭବିଷ୍ୟତରେ ଏନଡିଏରେ ସାମିଲ ହେବା ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । ଇଣ୍ଡିଆ ମେଣ୍ଟରେ ଶାସନ ବୁଝାମଣା ବିଫଳ ହୋଇଯାଇଥିବାରୁ ଏମିତି ନିଷ୍ପତ୍ତି ନେଇଛୁ ।’

କେବଳ ଫାରୁକ ନୁହେଁ, ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବରେ ଏକା ଏକା ନିର୍ବାଚନ ଲଢ଼ିବାକୁ ସ୍ପଷ୍ଟ କରି ସାରିଛନ୍ତି । ପଶ୍ଚିମବଙ୍ଗରେ ମମତା କଂଗ୍ରେସକୁ ଦୁଇଟି ସିଟ୍ ଦେବାକୁ ଚାହୁଁଥିଲେ । ହେଲେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୂରା ୪୨ ସିଟରେ ପ୍ରାର୍ଥୀ ଦେବାକୁ ମମତା ଘୋଷଣା କରିସାରିଛନ୍ତି । ସେହିପରି ପଞ୍ଜାବରେ ଆପ୍ କଂଗ୍ରେସକୁ ୬ଟି ଆସନ ଦେବାକୁ ରାଜି ଥିଲା । ହେଲେ ଏହାକୁ ନେଇ ସହମତି ନହେବାରୁ ଆପ୍ ପୂରା ୧୩ଟି ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ସେହିପରି ଦିଲ୍ଲୀରେ ଆପ୍ କଂଗ୍ରେସକୁ ଗୋଟିଏ ଆସନ ଅଫର କରିଛି । ଏପରିକି ନିଷ୍ପତ୍ତି ନେବାକୁ କିଛିଦିନ ସମୟ ଦେଇଛି । କଂଗ୍ରେସ ଏହାକୁ ନେଇ ଶୀଘ୍ର ନିଷ୍ପତ୍ତି ନନେଲେ ଦିଲ୍ଲୀରେ ମଧ୍ୟ ଆପ୍ ଏକା ନିର୍ବାଚନ ଲଢ଼ିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଇଣ୍ଡିଆ ମେଣ୍ଟ ମୁଣ୍ଡରେ ଖଣ୍ଡା ଝୁଲୁଛି । ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳ ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇସାରିଛି । ଏହାସହ ଏନଡିଏରେ ସାମିଲ ହେବା ନେଇ ମଧ୍ୟ ଔପଚାରିକ ଭାବେ ଘୋଷଣା କରିସାରିଛନ୍ତି । ସେପଟେ ସମାଜବାଦୀ ପାର୍ଟୀ କଂଗ୍ରେସକୁ ୧୧ଟି ସିଟ୍ ଅଫର କରିଛି ଯାହାକୁ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ବାହାରିପାରିନାହିଁ ।