ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ

1 min read

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲ୍‌ ୨୦୧୯କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତ ୪ ଡିସେମ୍ୱରରେ ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯କୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ଏହି ବିଲ୍‌କୁ କିଛି ଦଳ ସମର୍ଥନ କରୁଥିବା ବେଳେ ଏହାକୁ କିଛି ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଛନ୍ତି ।

ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଏହାକୁ ବିରୋଧ କରି ଦିଲ୍ଲୀସ୍ଥିତ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ପାର୍ଲାମେଣ୍ଟରେ ମଧ୍ୟ ଆରମ୍ଭରୁ ଜୋରଦାର ଆଲୋଚନା ହୋଇଥିଲା । ତେବେ ୨୦୧୬ ଜୁଲାଇ ୧୯ ତାରିଖରେ ଲୋକସଭାରେ ଏନେଇ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା ।

ଅପରପକ୍ଷରେ ଆସାମ୍‌ରେ ଏହି ବିଲ୍‌କୁ ନେଇ ତୀବ୍ର ବିରୋଧ ଦେଖାଦେଇଛି । ଲୋକମାନେ ରାଜରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି । ଏଭଳି କି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଏ ବିଲ୍ କଣ ? କାହିଁକି ଏହାକୁ ଏତେ ବିରୋଧ କରାଯାଉଛି । ସମସ୍ତେ ବିଲ୍ ସଂପର୍କରେ କଣ ଭାବୁଛନ୍ତି । ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଲାଗୁ ହେବା ପରେ ଏହାକୁ ନେଇ ସମସ୍ତେ ଡରି ଯାଇଛନ୍ତି । କାରଣ ସେଠାରେ ୧୯ ଲକ୍ଷ ଲୋକ ଏବେବି NRC ବାହାରେ ଅଛନ୍ତି ।

ନାଗରିକତା ସଂଶୋଧନ ବିଲ୍‌ ୨୦୧୯ କ’ଣ ?

୧. ନାଗରିକତ୍ୱ ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ ଭାରତରେ ବସବାସ କରୁଥିବା ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭାରତୀୟ ନାଗରିକର ମାନ୍ୟତା ପାଇପାରିବେ । ଅନ୍ୟ ନାଗରିକଙ୍କ ଭଳି ଏମାନଙ୍କର ପରିଚୟ ମଧ୍ୟ ହେବ ଭାରତୀୟ ।

୨. ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସିଥିବା ହିନ୍ଦୁ, ବୁଦ୍ଧ, ଜୈନ, ପାରସି, ଖ୍ରୀଷ୍ଟିଆନ୍‌ ଏବଂ ଶିଖ୍‌ ସମ୍ପ୍ରଦାୟର ଲୋକେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ  ଦ୍ୱାରା ଉପକୃତ ହୋଇପାରିବେ ।

୩. ବର୍ତ୍ତମାନ ଦେଶରେ ପ୍ରଚଳିତ 1955ର ଆଇନ୍ ଅନୁଯାୟୀ ଜଣେ ଭାରତର ନାଗରିକ ହେବା ଲାଗି ଅନୁନ୍ୟ ୧୧ ବର୍ଷ ଧରି ଏଠାରେ ବସବାସ କରୁଥିବା ଦରକାର । ଗତ ୧୪ ବର୍ଷରେ ସେ ୧୧ ବର୍ଷ ଭାରତରେ ରହିଥିବା ଦରକାର । କିନ୍ତୁ ସଂଶୋଧିତ ନୂଆ ଆଇନ୍ ଅନୁସାରେ ଏହାକୁ ହ୍ରାସ କରି ୬ ବର୍ଷ କରାଯାଇଛି ।

୪. ସଂଶୋଧିତ ଆଇନ ଅନୁସାରେ ଭାରତୀୟ ନାଗରିକ ହେବା ପରେ ଜଣେ ନାଗରିକଙ୍କୁ ସମସ୍ତ ଆଇନଗତ ସହାୟତା ସହ ମୌଳିକ ଅଧିକାର ମିଳିପାରିବ । ସବୁ ଯୋଜନା ଏବଂ ସମ୍ବିଧାନ ଅନୁସାରେ ସବୁ ସହାୟତା ମିଳିପାରିବ ।

୫. ଏହି ଆଇନ ଆସିବା ପରେ ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଏବଂ ଉତ୍ତର ଭାରତରେ ରହୁଥିବା ଲକ୍ଷାଧିକ ଶରଣାର୍ଥି ଓ ବାହ୍ୟ ପ୍ରବେଶକାରୀଙ୍କୁ ସବୁଦିନିଆ ସୁରକ୍ଷିତ ବାସସ୍ଥାନ ମିଳିପାରିବ ।

ପୂର୍ବରୁ ମଧ୍ୟ ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଏହାକୁ ଲାଗୁ କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେତେବେଳେ ରାଜ୍ୟସଭାରେ ଉପଯୁକ୍ତ ନମ୍ବର ନଥିବାରୁ ଏହା ପାସ୍ ହୋଇପାରିନଥିଲା ।

Leave a Reply